ବାହାରିଲା ଯୁକ୍ତ ୨ କଳା ରେଜଲ୍ଟ । କଳାରେ ପାସ ହାର ୬୭.୫୬ ପ୍ରତିଶତ । ଏଥର ବି ପୁଅଙ୍କୁ ପଛରେ ପକାଇଲେ ଝିଅ ।

745

କନକ ବ୍ୟୁରୋ: ବାହାରିଲା ପ୍ଲସ ଟୁ ରେଜଲ୍ଟ । କଳା ରେଜଲ୍ଟ ପ୍ରକାଶ ନେଇ ଘୋଷଣା କଲେ ମନ୍ତ୍ରୀ ସମୀର ଦାଶ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। କଳା ପରୀକ୍ଷାରେ ୬୭.୫୬ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ପରୀକ୍ଷାରେ ଗତ ବର୍ଷ ଭଳି ଚଳିତ ଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି।

ଚଳିତ ବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ଜଣ ଛାତ୍ରଛାତ୍ରୀ ଯୁକ୍ତ୨ କଳା ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୪୮ ହଜାର ୪୫୨ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ମୋଟ ୯୬ ହଜାର ୯୨୧ ଜଣ ଛାତ୍ରଙ୍କ ମଧ୍ୟରୁ ୫୭.୫୩ ପ୍ରତିଶତ ଅର୍ଥାତ ୫୫ ହଜାର ୭୫୬ ଜଣ ପାସ୍‌ କରିଛନ୍ତି। ୧ ଲକ୍ଷ ୨୨ ହଜାର ୭୯୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୭୫.୪୮ ପ୍ରତିଶତ ଅର୍ଥାତ ୯୨ ହଜାର ୬୮୬ ଜଣ ପାସ କରିଛନ୍ତି।

ପ୍ରଥମ ଶ୍ରେଣୀରେ ୧୪.୯୫ ପ୍ରତିଶତ ଅର୍ଥାତ ୨୨ ହଜାର ୧୯୬ ଜଣ, ଦ୍ୱୀତୟ ଶ୍ରେଣୀରେ ୧୭.୫୩ ପ୍ରତିଶତ ଅର୍ଥାତ ୨୬ ହଜାର ୨୭ ଜଣ ଓ ତୃତୀୟ ଶ୍ରେଣୀରେ ୬୭.୬୩ ପ୍ରତିଶତ ଅର୍ଥାତ ୧ ଲକ୍ଷ ୧୦୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ବରଗଡ଼ ଜିଲ୍ଲାରୁ ସର୍ବାଧିକ ୭୬.୬୩ ପ୍ରତିଶତ ଓ ନବରଙ୍ଗପୁର ଜିଲ୍ଲାରୁ ସର୍ବନିମ୍ନ ୪୪.୬୭ ପ୍ରତିଶତ ପିଲା ପାସ କରିଛନ୍ତି।