ପୁଲିସ ପଞ୍ଝାରେ ଭାଇରାଲ ଭିଡିଓର ଭିଲେନ ! ସାଜିଥିଲେ ନୈତିକତାର ଠିକାଦାର, ଯୁବକ-ଯୁବତୀଙ୍କୁ କରିଥିଲେ ଉଲଗ୍ନ

50

କନକ ବ୍ୟୁରୋ : ପୁଲିସ ପଞ୍ଝାରେ ଭାଇରାଲ ଭିଡିଓର ଭିଲେନ୍ । ନାବାଳିକା ଯୁବତୀଙ୍କୁ ଅକଥନୀୟ ଅତ୍ୟାଚାର ଏବଂ ପରେ ଉଲଗ୍ନ କରିଥିବା ୨ଜଣ ଅଭିଯୁକ୍ତ ମୋତିଲାଲ୍ ମହାନ୍ତ ଏବଂ ଦୀପକ ମହାନ୍ତଙ୍କୁ ଗିରଫ କରିଛି ମୟୁରଭଂଜ ପୁଲିସ । ପୀଡ଼ିତା ଝିଅଙ୍କ ବାପା ଏତଲା ଦେବା ପରେ ଖୋଲିଛି ଭାଇରାଲ ଭିଡିଓର ଗୁମର । ବାରିପଡ଼ା ଉପକଣ୍ଠରେ ଘଟିଥିବା ଏହି ଅମାନବୀୟ କାଣ୍ଡ ଉପରୁ ଆଜି ପରଦା ଉଠିବା ପରେ ପୁଣି ଥରେ ଜୀବନ୍ତ ହୋଇ ଉଠିଛି ସେହି ଲୋମହର୍ଷଣକାରୀ ଘଟଣା ।

viral videoଏପ୍ରିଲ ମାସ ୨୦୧୭ । ମୟୁରଭଂଜର ପ୍ରତାପପୁର ରାସ୍ତା । ଖସଖୁସିରେ ଟିକିଏ ଗପସପ କରିବା ପାଇଁ ରାସ୍ତାକଡ଼ର ଏକ ନିରୋଳା ସ୍ଥାନକୁ ବାଛି ନେଇଥିଲେ ଯୁବକ-ଯୁବତୀ । ନିଜ ପୁରୁଷ ବନ୍ଧୁଙ୍କ ସହ କଥାବାର୍ତା ହେଉଥିବା ସମୟରେ ୩ଜଣ ଅସାମାଜିକ ଯୁବକଙ୍କ ନଜର ପଡ଼ିଥିଲା ଏହି ଦୁଇ ଜଣଙ୍କ ଉପରେ । ଆଉ ନୈତିକତାର ଠିକାଦାର ସାଜି ଟପି ଯାଇଥିଲେ ମାନବିକତାର ସବୁ ସୀମା । ଟଣାଓଟରା ଆରମ୍ଭ କରିଦେଲେ । ଯୁବକ-ଯୁବତୀ କାକୁତି ମିନତୀ ହୋଇ ଛାଡି ଦେବାକୁ ଗୁହାରି କରୁଥିଲେ । ହେଲେ ଏହି ନର ରାକ୍ଷସଙ୍କ କାନରେ କିଛି ବି ପଡୁନଥିଲା । ଯୁବତୀଙ୍କ ଗୋଟିଏ ପରେ ଗୋଟିଏ ବସ୍ତ୍ର ଖୋଲି ଚାଲିଥିଲେ । ଆଉ ଉଲଗ୍ନ କରି ମୋବାଇଲ କ୍ୟାମେରାରେ ଭିଡିଓ ବି ସୁଟ୍ କଲେ ।

ଘଟଣାର ଠିକ୍ ୬ ମାସ ପରେ ଖବରଟି ଲୋକଲୋଚନକୁ ଆସିଥିଲା, ଯେତେବେଳେ ଏହି ଯୁବକ ଏବଂ ନାବାଳିକା ଯୁବତୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଲା । ମୋବାଇଲରୁ ମୋବାଇଲ ବୁଲିଲା ଏହି ଭାଇରାଲ ଭିଡିଓ । ତେବେ ଏହି ଘଟଣା ନାବାଳିକା ପୀଡିତାଙ୍କ ପରିବାରର ନଜରକୁ ଆସିବା ପରେ ବାରିପଦା ସଦରଥାନାରେ ପୀଡିତା ନାବାଳିକାଙ୍କ ବାପା ଏତଲା ଦେଇଥିଲେ । ଏହାପରେ ପୁଲିସ ଆରମ୍ଭ କରିଥିଲା ତନାଘନା । ଏହି ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଥିଲା ।

ଆଉ ଏସବୁ ଭିତରେ ବାରିପଦା ଉପକଣ୍ଠରେ ଘଟିଥିବା ଏହି ଘଟଣା ସୃଷ୍ଟି କରୁଛି ଅନେକ ପ୍ରଶ୍ନ ?
-କିଏ କାହା ସହ ବସିବେ ଏବଂ କାହା ସହ କଥା ହେବେ ତାହା କ’ଣ ଏଭଳି ଅସାମାଜିକ ଯୁବକମାନେ ସ୍ଥିର କରିବେ ?
– ମୁରବୀ ପଣିଆ ଦେଖାଇବାକୁ ଯାଇ କାହିଁକି କାହାର ବ୍ୟକ୍ତିଗତ ସ୍ୱାଧିନତାକୁ ସଂକୁଚିତ କରାଯିବ ?
-ଏହି ଅସାମାଜିକ ଯୁବକଙ୍କୁ କିଏ ଅଧିକାର ଦେଲା ଯୁବକ-ଯୁବତୀଙ୍କୁ ଅତ୍ୟାଚାର କରିବା ପାଇଁ ?
ଏଭଳି ଏକ ଅମାନବୀୟ କାଣ୍ଡ ଘଟାଇଥିବା ଏହି ଅସାମାଜିକ ଯୁବକଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ, ଯେମିତି ଏଭିଳି କିଛି କରିବା ପୂର୍ବରୁ ବାରମ୍ବାର ଚିନ୍ତା କରିବେ ଏଭଳି ଅସାମାଜିକ ବ୍ୟକ୍ତି ।