ଚାଲିଥିଲା ଆଇପିଏଲ ବେଟିଂ । ଚଢାଉ କଲା ପୋଲିସ, ୨ ଗିରଫ ।

106

କନକ ବ୍ୟୁରୋ : ଦେବଗଡ଼ ଥାନା ଅନ୍ତର୍ଗତ ଜାଡାଗୋଳା ଗ୍ରାମରେ ଆଇପିଏଲ୍‌ ବେଟିଂ ଚାଲିଥିବାବ‌େଳେ ଦେବଗଡ଼ ଥାନା ପୁଲିସ ଚଢ଼ଉ କରି ୨ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ,  ଜାଡାଗୋଳା ଗ୍ରାମରେ ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ଦେବଗଡ଼ ଜିଲ୍ଲା ପୁଲିସର ସ୍ପେସାଲ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ମଙ୍ଗଳବାର ଅତର୍କିତ ଭାବେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ଉକ୍ତ ଗ୍ରାମର ବାପୁନ ବେହେରା ଓ ଲିପୁନ ବେହେରା ନାମକ ଦୁଇ ଭାଇଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ନଗଦ ୯ଲକ୍ଷରୁ ଅଧିକ ଟଙ୍କା ସହ ମୋବାଇଲ ଫୋନ, ଲାପଟପ ଓ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ୍‌ କାର୍ଡ ଜବତ କରାଯାଇଥିଲା ।

ତଦନ୍ତ ବେଳେ  ଏହା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ବୋଲି ଜଣା ପଡିବା ସହ ବେଟିଂରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଥିଲା । ବୁଧବାର ସେମାନଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି । ଦେବଗଡ଼ ଆଦର୍ଶ ଥାନା ପରିସରରେ ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍‌ପି ରାଜକିଶୋର ପାଇକରାୟ ଏହି ସୂଚନା ଦେଇଛନ୍ତି । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ଼ ଏସଡ଼ିପିଓ ଶ୍ରୀ ମହାପାତ୍ର, ଡିଏସ୍‌ପି ପ୍ରଦୀପ କେରକେଟା, ଏସ୍‌ଆଇ ବୁଦ୍ଧାରାୟ ମାଝୀ ଓ ପ୍ରତାପ ଦଳେଇ ଉପସ୍ଥିତ ଥିଲେ ।