ରାଜଧାନୀରେ ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତ ଗିରଫ । ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

122

କନକ ବ୍ୟୁରୋ : ରାଜଧାନୀରେ ହତ୍ୟାକାଣ୍ଡ ଘଟଣାରେ ୨ ଅଭିଯୁକ୍ତ ଗିରଫ । ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସହିଦ ନଗର ଥାନା ପୋଲିସ । ଉଭୟଙ୍କ ଘର ଭଦ୍ରକ ଅଂଚଳରେ । ଭୁବନେଶ୍ୱରର ଏକ ବାଇକ୍ ସୋରୁମ୍ରେ କାମ କରୁଥିଲେ । ଅଭିଯୁକ୍ତଙ୍କଠାରୁ ଛୁରୀ, ସ୍କୁଟି ଓ କାର ଜବତ କରାଯାଇଛି । ଗତକାଲି ଭୁବନେଶ୍ୱର ପ୍ରେସ ଛକ ନିକଟରେ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । କେକ୍ ଖାଇବାକୁ ନେଇ ଗଣ୍ଡଗୋଳ ହେବାରୁ ଦୁଇ ଜଣ ଯୁବକଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା ।

ରକ୍ତ ରଞ୍ଜିିତ ରାଜଧାନୀ । ମୋମୋ ଖାଇବାକୁ ନେଇ ବଚସା ପରେ ଗଣ୍ଡଗୋଳ ଆଉ ପରେ ହତ୍ୟାକାଣ୍ଡ । କମେଣ୍ଟ ମରାକୁ କେନ୍ଦ୍ରକରି ରାଜଧାନୀ ରାଜରାସ୍ତାରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ରାସ୍ତା ଉପରେ ଗୋଡେଇ ଗୋଡେଇ ହାଣିଲେ ଦୁବୃର୍ତ୍ତ । ଗାଡକଣ ଗାଁର ନିରଂଜନ ପରିଡା ଓରଫ ଚିଣ୍ଟୁକୁ ହତ୍ୟା କରିଥିବା ବେଳେ ତାଙ୍କର ଦୁଇ ଜଣ ସାଙ୍ଗ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ତିନି ଅଭିଯୁକ୍ତ ସତ୍ୟ ପ୍ରକାଶ ପାଣ୍ଡବ, ସତ୍ୟ ପ୍ରକାଶ ସିଂହ, ସୌମ୍ୟ ରଞ୍ଜନ ବେହେରା ଏକ ବାଇକ ସୋରୁମରେ କାମ କରନ୍ତି । ଏ ସମସ୍ତଙ୍କ ଘର ଭଦ୍ରକ ବୋଲି ଜଣାପଡିଛି ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଆଉ ଘଟଣାସ୍ଥଳରୁ ରକ୍ତ ନମୁନା, ରକ୍ତ ଭିଜା ଛୁରୀ ଜବତ କରିବା ସହ ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ତଦନ୍ତ କରୁଛି । ଖାଲି କମେଣ୍ଟ ମରାକୁ ନେଇ ହତ୍ୟା ହୋଇଥିଲା ନା ପୂର୍ବ ଶତ୍ରୁତା ରହିଛି ଏ ଦିଗରେ ତଦନ୍ତ କରୁଛି ପୁଲିସ । ଅନ୍ୟପଟେ ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଭୁବନେଶ୍ୱର ବାହାରକୁ ଯାଇଛି ପୁଲିସର ସ୍ୱତନ୍ତ୍ର ଟିମ୍ । ରାଜଧାନୀରେ ୧୬ ଦିନରେ ଗଡିଲାଣି ୪ ମୁଣ୍ଡ । ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ କରୁଛନ୍ତି ଅପରାଧ ।