ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି: ୧୭ ଜିଲ୍ଲାର ୯୪ଟି ଆସନରେ ଚାଲିଛି ମତଦାନ; ୧୪୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୨କୋଟି ୮୫ ଲକ୍ଷ ଭୋଟର: ମଧ୍ୟପ୍ରଦେଶର ୨୮ ଆସନରେ ବି ଆଜି ପଡୁଛି ଭୋଟ୍

53

କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ଟି ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୧୪୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨କୋଟି ୮୫ ଲକ୍ଷ ଭୋଟର । ସକାଳ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୯୪ ଆସନରୁ ବିଜେପି ୪୬ଟି ଓ ଜେଡିୟୁ ୪୩ଟି ଆସନରେ ଓ ଭିଆଇପି ୫ଟି ଆସନରେ ଲଢ଼ୁଛନ୍ତି । ସେହିପରି ଆରଜେଡି ୫୬, କଂଗ୍ରେସ ୨୪, ସିପିଆଇ ୪ ସପିଏମ ୪ ଓ ସପିଆଇ-ଏମ-ଏଲ ଅବଶିଷ୍ଠ ଆସନରେ ଲଢ଼ୁଛନ୍ତି । ୨୦୧୫ ନିର୍ବାଚନରେ ଏହି ୯୪ଟି ଆସନରୁ ଆରଜେଡି ୩୩, ଜେଡିୟୁ ୩୦, କଂଗ୍ରେସ ୭ ଓ ବିଜେପି ୨୦ଟି ଆସନ ଦଖଲ କରିଥିଲା । ହେଲେ ଚଳିତ ବର୍ଷ ନିର୍ବାଚନରେ ବିଜେପି ଓ ଜେଡିୟୁ ମେଂଟ କରି ଲଢ଼ୁଛନ୍ତି । ତେଣୁ ସମୀକରଣ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏବେ ନଜର ପକାନ୍ତୁ ବିହାର ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟରେ କେଉଁ କେଉଁ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ।  

• ତେଜସ୍ୱ ୀ ଯାଦବ- ମୁଖ୍ୟ ବିରୋଧୀ ଦଳ ଆରଜେଡିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

• ରାଘୋପୁର ଆସନରୁ ଆରଜେଡି ପ୍ରାର୍ଥୀ

• ଦୁଇବର୍ଷ ପାଇଁ ବିହାରର ଉପମୁଖ୍ୟମନ୍ତ୍ରୀ ଥିଲେ

• ଏନଡିଏ ମେଂଟକୁ କଡା ଟକ୍କର ଦେଉଛନ୍ତି ତେଜସ୍ୱୀ

• ତେଜ ପ୍ରତାପ ଯାଦବ-ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ

• ହସନପୁରରୁ  ଆରଜେଡି ପ୍ରାର୍ଥୀ

• ପୁଷ୍ପମପ୍ରିୟା ଚୌଧୁରୀ-ବିହାର ରାଜନୀତିର ଚର୍ଚ୍ଚିତ ଚେହେରା

• ପ୍ଲୁରାଲସ ପାର୍ଟିର ପ୍ରତିଷ୍ଠାତା

• ୩୩ ବର୍ଷ ବୟସରେ ବାଙ୍କିପୁରା ଆସନରୁ ପ୍ରାର୍ଥୀ

• ନନ୍ଦ କିଶୋର ଯାଦବ-ନୀତିଶ କୁମାର ମନ୍ତ୍ରିମଣ୍ଡଳର ପ୍ରଭାବଶାଳୀ ମନ୍ତ୍ରୀ

ସେହିପରି ମଧ୍ୟପ୍ରଦେଶର ୨୮ ଆସନରେ ଆଜି ଚାଲିଛି ଉପନିର୍ବାଚନ ପାଇଁ ମତଦାନ । ଶାନ୍ତି ଶୃଂଖଳାର ସହିତ ସକାଳ ୭ଟାରୁ କୋଭିଡ ନିୟମ ପାଳନ କରି ସମସ୍ତ ଭୋଟର ମତଦାନ କରୁଛନ୍ତି । ସକାଳେ ଥଣ୍ଡା ପଡୁଥିଲେ ମଧ୍ୟ ସକାଳୁ ସକାଳୁ ମତଦାନ କେନ୍ଦ୍ର ଆଗରେ ଧାଡି ଲଗାଇଛନ୍ତି । ଏହି ନିର୍ବାଚନର ଫଳାଫଳ ପ୍ରମାଣ କରିବ ମଧ୍ୟପ୍ରଦେଶରେ ଶିବରାଜ ସିଂ ଆଗକୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଗାଦିରେ ରହିବେ କି ନାହିଁ । ବହୁମତ ପାଇଁ ବିଜେପିକୁ ମଧ୍ୟପ୍ରଦେଶରେ ମାତ୍ର ୮ଟି ଆସନ ଆବଶ୍ୟକ ।

ଏହି ମତଦାନକୁ ଶାନ୍ତିଶୃଂଖଳାର ସହିତ ଶେଷ କରିବାକୁ ୪୮ କମ୍ପାନୀ ପାରା ମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୬ଟା ଯାଏଁ ଚାଲିବ । ବର୍ତମାନ ମଧ୍ୟପ୍ରଦେଶରେ ୨୯ଟି ବିଧାନସଭା ଆସନ ଖାଲି ରହିଛି । ଯେଉଁଥିରୁ ୨୮ ଆସନରେ ଉପନିର୍ବାଚନ ଚାଲିଛି । କଂଗ୍ରେସରୁ ୨୫ ବିଧାୟକ ଇସ୍ତଫା ଦେଇଥିଲେ । ୩ ଜଣ ବିଧାୟକଙ୍କ ନିଧନ ଘଟିଥିଲା । କଂଗ୍ରେସରୁ ଇସ୍ତଫା ଦେଇଥିବା ସମସ୍ତ ୨୫ ବିଧାୟକ ବିଜେପିକୁ ଆସିଥିଲେ । ଏହା ପରେ ସେଠାରେ ଏହି ୨୫ ଦଳବଦଳ କରିଥିବା ନେତାଙ୍କୁ ଟିକଟ ଦେଇ ବିଜେପି ଉପନିର୍ବାଚନ ମୈଦାନକୁ ଓହ୍ଲାଇଛି ।