୭ ଜଣଙ୍କୁ ନୂଆ ଜୀବନ ଦେଲା ଅଢେଇ ବର୍ଷର ଶିଶୁ: ବାଲକୋନିରୁ ଖସିପଡି ଲାଗିଥିଲା ମୁଣ୍ଡରେ ଆଘାତ; ଚିକିତ୍ସାପରେ ବ୍ରେନଡେଡ୍ ଘୋଷଣା, ଦାନ କଲେ ହୃତପିଣ୍ଡ, କିଡନି , ଲିଭର ଓ ଫସଫୁସ

1,298

କନକ ବ୍ୟୁରୋ: ନିଜ ଜୀବନ ବଦଳରେ ୭ଟି ଜୀବନ ବଂଚାଇଲେ ଅଢେଇ ବର୍ଷର ଶିଶୁ ପୁତ୍ର । ଘଟଣାଟି ଘଟିଛି ଗୁଜୁରାଟ ସୁରଟ ଜିଲ୍ଲାରେ । ମୃତ ଶିଶୁଟିର ନାଁ ଯଶ ଓଝା । ତେବେ ମୃତ୍ୟୁ ପୂର୍ବରୁ ଖୁବ୍ କମ୍ ବୟସରେ ଅଙ୍ଗଦାନ କରି ୭ଜଣଙ୍କ ଜୀବନ ବଂଚାଇ ରେକର୍ଡ଼ ସୃଷ୍ଟି କରିଛନ୍ତି ଯଶ । ସୁଚନା ଅନୁସାରେ ପଡ଼ୋଶୀଙ୍କ ଘରେ ଖେଳୁଥିବା ସମୟରେ ଶିଶୁଟି ଦ୍ୱିତୀୟ ମହଲାର ବାଲକୋନୀରୁ ଖସି ପଡ଼ିଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାକୁ ଡ଼ାକ୍ତରମାନେ ବ୍ରେନ୍ ଡ଼େଡ଼୍ ଘୋଷଣା କରିଥିଲେ । ଏହାପରେ ଶିଶୁଟିର ଅଙ୍ଗଦାନ କରିବାକୁ ତାର ବାପା ମା’ ନିଷ୍ପତି ନେଇଥିଲେ । ଫଳରେ ସାତଜଣଙ୍କ ଜୀବନ ବଂଚିଯାଇଛି ।

ପିଲାଟିର ହୃତପିଣ୍ଡ, କିଡ଼ନୀ, ଫୁସଫୁସ୍, ଲିଭର, ଆଖି ଦାନ କରିଛନ୍ତି ଯଶର ବାପା ଓ ମା’ । ଯଶର ହୃତପିଣ୍ଡ ଓ ଫୁସ୍ଫୁସ୍କୁ ବିମାନରେ ଚେନ୍ନାଇ ପଠାଯାଇଥିଲା । ଋଷିଆର ଜଣେ ୪ବର୍ଷର ଶିଶୁ ଶରୀରରେ ତାଙ୍କ ହୃତପିଣ୍ଡ ପ୍ରତିରୋପଣ କରାଯାଇଛି । ସେହିପରି ଫୁସଫୁସକୁ ୟେକେନର ଜଣେ ୪ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି । ୨ଯାକ ପ୍ରତିରୋପଣ ଚେନ୍ନାଇର ଏକ ହସ୍ପିଟାଲରେ ହୋଇଛି । ସେଠାରେ ଏହି ଦୁଇ ବିଦେଶୀ ଶିଶୁ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ ।

ସେହିପରି ଯଶର କିଡ଼ନୀ ଦୁଇଟିକୁ ଜଣେ ୧୩ ବର୍ଷର ଝିଅ ଓ ଆଉ ଜଣେ ୧୭ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି । ତାଙ୍କ ଲିଭରକୁ ପ୍ରତିରୋପଣ କରି ୨ବର୍ଷର ଝିଅର ଜୀବନ ବଂଚାଇବାରେ ସଫଳ ହୋଇଛନ୍ତି ଡ଼ାକ୍ତର । ଏହି ଅଙ୍ଗଦାନ ପ୍ରକ୍ରିୟାରେ ବଡ଼ ଭୁମିକା ତୁଲାଇଛି ଏନଜିଓ ସଂସ୍ଥା ଡ଼ୋନେଟ ଲାଇଫ ।