କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସୋରରେ ନିଖୋଜ ହୋଇଥିବା ଅଢେଇ ବର୍ଷର ଶିଶୁର ମିଳୁନି ପତା । ଗତକାଲି ଘର ନିକଟରୁ ନିଖୋଜ ହୋଇଗଲା କୁନି ପୁଅ ଶୁଭମ । ଖୋଜିଖୋଜି କରି ନିରାଶ ହେବା ପରେ ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ ।
ସୋର ପୌରପାଳିକା ୪ ନମ୍ବର ୱାର୍ଡରୁ ସାଦମାପୁର ରାଇପୁର ଗାଁର ମୋହନ ସାହୁଙ୍କ କୁନିପୁଅ ଶୁଭମ ଘର ନିକଟରୁ ନିଖୋଜ ହୋଇ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ଲୋକ ଗାଁର ଆଖପାଖ ଅଞ୍ଚଳରେ ଖୋଜାଖୋଜି କରି ନିରାଶ ହେବା ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଶିଶୁର ପତା ମିଳିନି । ଗତକାଲି ସକାଳ ୧୦ଟାରୁ ନିଖୋଜ ରହିଛି ଶୁଭମ । ସ୍ଥାନୀୟ ଲୋକେ ଗଡ଼ିଆ ପୋଖରୀ ଠାରୁ ଆରମ୍ଭ କରି ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଅଞ୍ଚଳରେ ଖୋଜିଥିଲେ । ଶିଶୁର କୌଣସି ଖବର ନମିଳିବାରୁ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଶିଶୁ ସଂପର୍କରେ ସୂଚନା ପାଇଲେ ପରିବାର ଲୋକଙ୍କୁ ଜଣାଇବା ପାଇଁ ଅନୁରୋଧ କରିଛନ୍ତି ।