କନକ ବ୍ୟୁରୋ: ବାରଙ୍ଗରେ ମଦବେପାରୀଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ସାଦା ପୋଷାକରେ ଥିବା ସ୍ପେଶାଲ ସ୍କ୍ବାଡ୍ ପୁଲିସ। ମଦ ବେପାରୀଙ୍କ କବଳରୁ ଖସିବାକୁ ପୁଲିସ ୩ ରାଉଣ୍ତ ଫାଙ୍କା ଗୁଳି ଚାଳନା କରିଛି। ଅନ୍ୟପଟେ ଏହି ଘଟଣାରେ ପୁଲିସ ଅଟକ ରଖିଥିବା ତ୍ରିଶୂଳିଆର ୩ ମଦ ବ୍ୟବସାୟୀଙ୍କୁ ଛାଡ଼ିବା ପାଇଁ ଗ୍ରାମବାସୀମାନେ ଥାନା ସାମ୍ନାରେ ରୁଣ୍ଡ ହେବାରୁ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, କାଳୀପୂଜା ଭସାଣି ପାଇଁ କମିସନରେଟ୍ ପୁଲିସ ଅଞ୍ଚଳରେ ମଦ ଦୋକାନ କାଉଣ୍ଟର ଏବ˚ ବାର ବନ୍ଦ ରହିଥିଲା। ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୂଳିଆ ବଜାରରେ ଥିବା ଏକ ମଦ ବାର ବାହାରେ ରାତି ପ୍ରାୟ ସାଢ଼େ ୮ଟା ବେଳେ ବେଆଇନ ମଦ ବିକ୍ରି ହେଉଥିବା ସଂପର୍କରେ ପୁଲିସର ସ୍ପେଶାଲ ସ୍କ୍ବାଡ୍ ଖବର ପାଇଥିଲା। ସ୍କ୍ବାଡ୍ ସଦସ୍ୟ ସାଦା ପୋଷାକରେ ବ୍ୟବସାୟୀଙ୍କ ଆଡ୍ଡାରେ ଚଢ଼ଉ କରିଥିଲେ। ଏମାନେ ସାଦା ପୋଷାକରେ ଥିବାରୁ ପ୍ରାୟ ୬ ଜଣ ମଦ ବ୍ୟବସାୟୀ ସ୍କ୍ବାଡ୍ ସଦସ୍ୟଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଉଭୟ ସ୍କ୍ବାଡ୍ କର୍ମଚାରୀ ଏବ˚ ମଦ ବ୍ୟବସାୟୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିଲା।
ଆତ୍ମରକ୍ଷା ପାଇଁ ସ୍କ୍ବାଡ୍ କର୍ମଚାରୀ ଫାଙ୍କା ଗୁଳି ଚାଳନା କରିବାରୁ ବ୍ୟବସାୟୀମାନେ ଘଟଣା ସ୍ଥଳରୁ ଚମ୍ପଟ୍ ମାରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କାବୁ କରି ବାରଙ୍ଗ ଥାନା ପୁଲିସ ଜିମା ଦିଆଯାଇଥିଲା। ଏହି ଘଟଣାକୁ ନେଇ ରାତି ପ୍ରାୟ ୧୧ଟା ବେଳେ ତ୍ରିଶୂଳିଆ ଅଞ୍ଚଳର ଶହେରୁ ଅଧିକ ଗ୍ରାମବାସୀ ଥାନାରେ ପହଞ୍ଚି ପୁଲିସର ଫାଙ୍କା ଗୁଳିଚାଳନାକୁ ପ୍ରତିବାଦ କରିବା ସହିତ ଅଟକ ଥିବା ୩ ଜଣଙ୍କୁ ଛାଡ଼ିବାକୁ ଦାବି କରିଥିଲେ। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/PHOTO-01014922.jpg)