ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତ ମୁକେଶର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନ ଖାରଜକୁ ଚ୍ୟାଲେଞ୍ଜ କରି ଉଚ୍ଚତମ ନ୍ୟାୟାଳୟ ଯାଇଛି ଦୋଷୀ

441

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ଫାଶି ସମୟ ଗଡାଇବାକୁ ବିଭିନ୍ନ କୌଶଳ ଆପଣଉଛନ୍ତି । ରାଷ୍ଟ୍ରପତିଙ୍କ ରାଜକ୍ଷମା ଆବେଦନ ଖାରଜକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛି ନିର୍ଭୟା ଦୋଷୀ ମୁକେଶ ସିଂ । ମୁକେଶର ଓକିଲ ଏନେଇ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି । ଆଜି ମୁକେଶର ଆବେଦନ ଉପରେ ସୁପ୍ରିମକୋର୍ଟରେ କରିବେ ଶୁଣାଣି । ନିର୍ଭୟା ମାମଲାର ୪ ଦୋଷୀଙ୍କ ମଧ୍ୟରୁ ମୁକେଶ ସିଂର ରାଜକ୍ଷମା ଆବେଦନକୁ ଜାନୁୟାରୀ ୧୭ରେ ଖାରଜ କରିଦେଇଥିଲେ ରାଷ୍ଟ୍ରପତି । ଏହାପରେ ଫେବୃୟାରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଇବାକୁ ପଟିଆଲା ହାଉସକୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ ।

ଏବେ ପୁଣି ଫାଶିକୁ ବିଳମ୍ବିତ କରିବା ପାଇଁ ଦୋଷୀ ମୁକେଶ ସୁପ୍ରିମକୋର୍ଟ ଯାଇଥିବା କୁହାଯାଉଛି । ସେପଟେ ଦୋଷୀ ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ଠାକୁରଙ୍କ ମର୍ସି ପିଟିସନ ଓ କ୍ୟୁରେଟିଭ ପିଟିସନ୍ ପାଇଁ ତିହାର ଜେଲ କର୍ତୃପକ୍ଷ ଆବଶ୍ୟକ କାଗଜ ପତ୍ର ଦେଉନଥିବା ଅଭିଯୋଗ କରି ପଟିଆଲା ହାଉସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦୋଷୀଙ୍କ ଓକିଲ । ତିହାର ଜେଲ ପକ୍ଷରୁ ସମସ୍ତ ଆବଶ୍ୟକ କାଗଜପତ୍ର ଦାଖଲ କରାଯିବା ପରେ କୋର୍ଟ ଶୁଣାଣୀ କରି କହିଛନ୍ତି ଏ ମାମଲାରେ ଏବେ ଆଉ କୌଣସି ବି ନିର୍ଦ୍ଦେଶ ଜାରି କରାଯିବ ନାହିଁ ।