କନକ ବ୍ୟୁରୋ : ଜମୁଛି ପୂଜା ମାହୋଲ । ଚାରିଆଡେ ଉତ୍ସାହ ଉଦ୍ଦିପନା । ଅନୁଗୁଳ କିଶୋରନଗର, ଖଣ୍ଡହତା ଓ ପିପଳବାହାଳ ଗାଁର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଛି ୬୧ ତମ ଗଜଲକ୍ଷ୍ମୀ ପୂଜା । ଲକ୍ଷ୍ମୀପୂଜାର ମୁଖ୍ୟ ଆକର୍ଷଣ ପାଲଟିଛି ଧନୁଯାତ୍ରା ମହୋତ୍ସବ । ଅନୁଗୁଳରେ ପ୍ରଥମ ଥର ପାଇଁ ମହାରାଜ କଂସଙ୍କ ଅଟହାସ୍ୟରେ କମ୍ପୁଛି ମୁକ୍ତାକାଶ ରଙ୍ଗମଂଚ । ଆଉ କଂସଙ୍କ ଅଟହାସ୍ୟରେ ଘାଇଲା ହେଉଛନ୍ତି ଅତିଥି । ୧୦ ଦିନ ଧରି ଚାଲୁଥିବା ଧନୁଯାତ୍ରା ପାଇଁ ସଜେଇ ହୋଇଛି ଗାଁ ଗଣ୍ଡା । ଖଣ୍ଡହତା ଗାଁ ମଥୁରା କଟକ ହୋଇଥିବା ବେଳେ ଗୋପପୁର ପାଲଟିଛି ଘୋଷର ଗାଁ । ସେହିଭଳି ସାଧୂପାଳବଡ ଯୋର ଯମୁନା ନଇର ଭୂମିକା ନିର୍ବାହ କରୁଛି । କୃଷ୍ଣ ବଳରାମ ଗ୍ରାମ ପରିଭ୍ରମଣ କରୁଥିବା ବେଳେ ଗୋପ-ଗୋପାଳୁଣୀ ପାଲଟି ଯାଇଛନ୍ତି ଗ୍ରାମବାସୀ । ମୁକ୍ତାକାଶ ରଙ୍ଗମଂଚରେ ଦେବକୀ ବସୁଦେବଙ୍କ ବିବାହ ଠାରୁ ଆରମ୍ଭ କରି କଂସ ବଦ୍ଧ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମର ଆୟୋଜନା କରାଯାଇଛି ।

Advertisment

ଧନୁଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ଅଷ୍ଟମଲ ନିଧନ ଓ କାଳୀନାଗ ଆହ୍ଵାନ କାର୍ୟ୍ୟକ୍ରମ ରହିଥିଲା। କଂସ ମହାରାଜଙ୍କ ଦରବାରରେ ପ୍ରତ୍ୟେକ ଦିନ ମାନ୍ୟଗଣ୍ୟ ଅତିଥିମାନେ ନିମନ୍ତ୍ରିତ ହୁଅନ୍ତି। କଂସଙ୍କ ପ୍ରଶ୍ନବାଣରେ ଘାଇଲା ହୁଅନ୍ତି। ଚତୁର୍ଥସନ୍ଧ୍ୟାରେ କଲେଜ ଅଧ୍ୟକ୍ଷ ଧରଣୀଧର ନାଥ, ଯୁବଉଦ୍ୟଗୀ ସଶାଙ୍କ ଶେଖର ପ୍ରଧାନ ଓ ମୁଖ୍ୟ ଅତିଥି ଭାବେ ସମ୍ବାଦ ସମ୍ପାଦକ ତନୟା ପଟ୍ଟନାୟକ ଯୋଗ ଦେଇଥିଲେ। ପ୍ରଥମେ ମା ଗଜଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରି କଂସଙ୍କ ଦରବାରରେ ଉପସ୍ଥିତ ରହିଥିଲେ ସମସ୍ତ ଅତିଥି । ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଧନୁଯାତ୍ରା ମାଧ୍ୟମରେ ଚେଷ୍ଟା କରୁଥିବା ଆୟୋଜକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଖପାଖ ଅଞ୍ଚଳରୁ ଲୋକମାନେ ଧନୁଯାତ୍ରା ଉପଭୋଗ କରିବା ସହ, ମୀନାବଜାର, ଦୋଳିର ବି ମଜା ଉଠାଉଛନ୍ତି। ଆଗାମୀ ୭ତାରିଖ ପର୍ୟ୍ୟନ୍ତ ଏହି ଉତ୍ସବ ଜାରି ରହିବ। ଆସନ୍ତା ୮ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ।