ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେସନ ଆରମ୍ଭ । ପ୍ରଧାନମନ୍ତ୍ରୀ କହିଲେ, ଭବନ ବଦଳିଲା, ଭାବ ଓ ଭାବନାକୁ ବି ବଦଳାଇବାକୁ ପଡ଼ିବ

80

କନକ ବ୍ୟୁରୋ : ଇତିହାସ ପାଲଟିଲା ପୁରୁଣା ସଂସଦ ଭବନ । ଆଜିଠୁୁ ଆରମ୍ଭ ହେଲା ନୂଆ ସଂସଦଭବନରେ ସ୍ୱତନ୍ତ୍ର ଅଧିବେଶନ । ସ୍ୱତନ୍ତ୍ର ଅଧିବେଶନର ୨ୟଦିନର କାର୍ଯ୍ୟ ନୂଆ ସଂସଦଭବନରୁ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ଏନଡିଏ ମେଂଟର ସାଂସଦ ଏବଂ ଅନ୍ୟାନ୍ୟ ସମସ୍ତ ଦଳର ସାଂସଦମାନେ ନୂଆ ସଂସଦ ଭବନରେ ଏକାଠି ପ୍ରବେଶ କରିଥିଲେ । ନୂଆ ସଂସଦଭବନରେ କାର୍ଯକ୍ରମ ଆରମ୍ଭ ପୂର୍ବରୁ ପୁରୁଣା ସଂସଦଭବନରେ ଫଟୋ ସେସନ କରାଯାଇଥିଲା । ଫଟୋ ସେସନ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାର ସଦସ୍ୟ ଏକାଠି ହୋଇ ଗ୍ରୁପ୍ ଫଟୋ ଉଠାଇଥିଲେ । ତିନୋଟି ଗ୍ରୁପରେ ଫଟୋ ସେସନ୍ କରାଯାଇଛି । ପ୍ରଥମ ଫଟୋରେ ଲୋକସଭା ଓ ରାଜ୍ୟସଭା ସମସ୍ତ ସଦସ୍ୟ ରହିଛନ୍ତି । ଦ୍ୱିତୀୟ ଫଟୋ ସେସନରେ କେବଳ ରାଜ୍ୟସଭା ସଦସ୍ୟ ଏବଂ ତୃତୀୟ ଫଟୋ ସେସନରେ କେବଳ ଲୋକସଭା ସଦସ୍ୟ ରହିଛନ୍ତି । ସେଂଟ୍ରାଲ ହଲ୍ ସାମ୍ନାରେ ଫଟୋ ସେସନ୍ କାର୍ଯ୍ୟକ୍ରମ କରାଯାଇଛି । ତେବେ ନୂଆ ସଂସଦଭବନରେ ସଦସ୍ୟଙ୍କୁ ସମ୍ବୋଧିତ କରି ଆଗାମୀ ଦିନରେ ଗୃହର କାର୍ଯ୍ୟ ସୁରୁଖରରେ ଚାଲିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ନୂଆ ସଂସଭବନରେ ପ୍ରବେଶ କରିବା ପୂର୍ବରୁ ପୁରୁଣା ସଂସଦଭବନରେ ଶେଷଥର ପାଇଁ ଉଭୟ ରାଜ୍ୟସଭା ଓ ଲୋକସଭାର ମିଳିତ ଅଧିବେଶନ ହୋଇଥିଲା । ସଦସ୍ୟମାନଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି ସେଂଟ୍ରାଲ ହଲ ଭାବନାରେ ପରିପୂର୍ଣ୍ଣ । ୭ଦଶନ୍ଧି ଭିତରେ ଏଠାରେ ଅନେକ ଆଇନ ତିଆରି ଓ ସଂଶୋଧନ ହୋଇଛି । ଏଥିସହ ସେ କହିଛନ୍ତି ଦେଶକୁ ଆଗକୁ ନେବା ପାଇଁ ଏକାଠି ହେବାକୁ ପଡିବ । କିଛି ବଡ କରିବା ପାଇଁ ବଡ ଚିନ୍ତାର ଆବଶ୍ୟକତା ରହିଛି । ଚିନ୍ତାଧାରର ବିକାଶରେ ଦେଶର ବିକାଶ ହୁଏ । ନୂଆ ସଂସଦ ଭବନରେ ନୂଆ ଭବିଷ୍ୟତ ଆଡକୁ ଯାଉଛି । ଆଗକୁୁ ପୁରୁଣା ସଂସଦଭବନ ସମ୍ବିଧାନ ସଦନ ଭାବେ ଜଣାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

୭୫ବର୍ଷ ଧରି ପୁରୁଣା ସଂସଦ ଭବନରେ ଗୌରବମୟ ଇତିହାସ ଲେଖା ହୋଇଛି ।ତେବେ ୫ଦିନ ପାଇଁ ଚାଲିବ ସ୍ୱତନ୍ତ୍ର ଅଧିବେଶନ । ପ୍ରଥମ ଦିନରେ ମହିଳା ସଂରକ୍ଷଣ ବିଲ ଆଗତ ହେବା ପରେ ଦିନକ ପାଇଁ ଲୋକସଭାକୁ ମୁଲତବୀ କରାଯାଇଛି ।