ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ-ଚେନ୍ନାଇ ଟକ୍କର । ଅଭିଜ୍ଞତା ବନାମ ଆତ୍ମବିଶ୍ୱାସ

94

କନକ ବ୍ୟୁରୋ: ଆଜି ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟାର ମୁକାବିଲା ହେବ । ଦିଲ୍ଲୀ ଓ ଚେନ୍ନାଇ ମଧ୍ୟରେ ହେବ ଟକ୍କର । ସର୍ବାଧିକ ୨୦ ପଏଣ୍ଟ ହାସଲ କରି ଲିଗର ଶ୍ରେଷ୍ଠ ଦଳ ଭାବେ ଦିଲ୍ଲୀ ପ୍ଲେ-ଅଫକୁ ଯାଇଛି । ଆରସିବି ସହ ସମାନ ୧୮ ପଏଣ୍ଟ ପାଇଥିଲେ ମଧ୍ୟ ରନ୍ ରେଟ୍ ଆଧାରରେ ଚେନ୍ନାଇ ଦ୍ୱିତୀୟ ସ୍ଥାନରେ ରହି ପ୍ରଥମ କ୍ୱାଲିଫାୟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ଓ ବଳିଷ୍ଠ ରଣନୀତିକୁ ନିଷ୍ଫଳ କରିବାକୁ ହେଲେ ଦିଲ୍ଲୀର ଯୁବ ଅଧିନାୟକ ଋଷଭ ପନ୍ତଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଚେନ୍ନାଇ ପୂର୍ବରୁ ୮ ଥର ଫାଇନାଲ ଖେଳି ୩ ଥର ଚାମ୍ପିଅନ୍ ହୋଇଛି ।

ଅନ୍ୟପଟେ ମାତ୍ର ଥରେ ଫାଇନାଲ ଖେଳିଥିବା ଦିଲ୍ଲୀ ନିଜ ପ୍ରଥମ ଟ୍ରଫି ବିଜୟ ଲକ୍ଷ୍ୟରେ ରହିଛି । ଗତବର୍ଷ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିବା ଦିଲ୍ଲୀ ମୁମ୍ବାଇଠାରୁ ପରାସ୍ତ ହୋଇଥିଲା । ଦିଲ୍ଲୀର ଆତ୍ମବିଶ୍ବାସ ଏବେ ଆକାଶଛୁଆଁ ରହିଛି। ସେହିଦୃଷ୍ଟିରୁ ରବିବାର ମ୍ୟାଚ୍‌ ବେଶ୍ ସଂଘର୍ଷପୂର୍ଣ୍ଣ ଓ ରୋମାଞ୍ଚଭରା ହେବ ବୋଲି ଆଶା କରାଯାଉଛି।

ଅଭିଜ୍ଞତା ବନାମ ଆତ୍ମରବିଶ୍ବାସ
ଆଇପିଏଲର ଅନ୍ୟତମ ସଫଳ ଦଳ ଚେନ୍ନାଇ ଏଥର ବି ସ୍ଥିର ପ୍ରଦର୍ଶନ ଦେଇ ଆସୁଥିଲା। ହେଲେ ‌ଅପ୍ରତ୍ୟାଶିତ ଭାବେ ଶେଷ ତିନିଟି ମ୍ୟାଚ୍ ହାରି ପରାଜୟର ଆଲୋଡ଼ା ହ୍ୟାଟ୍ରିକ୍ ଅର୍ଜନ କରିଥିଲା। ସେହିଭଳି ଶ୍ରୀକର ଭରତଙ୍କ ଶେଷ ବଲ୍‌ ଛକା ପାଇଁ ଦିଲ୍ଲୀ ମଧ୍ୟ ତାର ଶେଷ ଲିଗ୍‌ ମ୍ୟାଚରେ ଆରସିବି ଠାରୁ ହାରିଯାଇଥିଲା। ଏଣୁ ଉଭୟ ଦଳ ବିଜୟଧାରାକୁ ଫେରିବା ସହ ପ୍ରଥମ ପ୍ରୟାସରେ ହିଁ ଫାଇନାଲ୍ ଟିକେଟ ହାସଲ କରିନେବାକୁ ଚେଷ୍ଟା କରିବେ। ପରାଜିତ ଦଳ ଅବଶ୍ୟ ଏଲିମିନେଟରର ବିଜେତା ଦଳ ସହ ଦ୍ବିତୀୟ କ୍ବାଲିଫାୟର ଖେଳିବାର ସୁଯୋଗ ପାଇବ। ହେଲେ ରବିବାର ଯେଉଁ ଦଳ ବିଜୟୀ ହେବ ସିଏ ଆତ୍ମବିଶ୍ବାସର ସହ ଫାଇନାଲ୍ ଖେଳିବ। ଚେନ୍ନାଇ ପରାଜିତ ହେଲେ କିନ୍ତୁ ଲଗାତାର ଚାରିଟି ମ୍ୟାଚ୍ ହାରିବାର ଅପଯଶ ମୁଣ୍ଡାଇବ। ଦିଲ୍ଲୀ ହାରିଲେ ଲଗାତାର ଦ୍ବିତୀୟ ମ୍ୟାଚ୍ ହାରିବ।

ଶକ୍ତି ଓ ସାମର୍ଥ୍ୟ ଦୃଷ୍ଟିରୁ ଦୁଇଟି ଯାକ ଦଳ କେହି କାହାରିଠୁ କମ୍ ନୁହନ୍ତି। ଚେନ୍ନାଇ ପାଖରେ ଲମ୍ବା ଅଭିଜ୍ଞତା ଥିବା‌ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି। ଯୁବ ଓପନର ଋତୁରାଜ ଗାଏକ୍ବାଡଙ୍କୁ ଛାଡ଼ି‌ଲେ ଚେନ୍ନାଇ ବ୍ୟାଟିଂ ବାହିନୀର ସବୁ ଶୀର୍ଷକ୍ରମ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ଜଣେ ସୁପରିଚିତ ନାଁ। ଫାଫ୍ ଡୁ’ପ୍ଲେସିସ୍, ମୋଇନ ଅଲ୍ଲୀ, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ଡ୍ବେନ୍ ବ୍ରଭୋ ସମସ୍ତେ ଜଣେ ଜଣେ ମ୍ୟାଚ୍ ବିଜୟୀ ଖେଳାଳି। ଅଧିନାୟକ ଧୋନି ଏବେ ଭଲ ଫର୍ମରେ ନାହାନ୍ତି। ତଥାପି ସେ ‌ଯେ କୌଣସି ମୁହୂର୍ତରେ ମ୍ୟାଚର ମୋଡ଼ ବଦଳାଇ ଦେବାର ଦମ୍ଭ ରଖନ୍ତି। ତାଙ୍କୁ ମଧ୍ୟ ସୀମିତ ଓଭର କ୍ରିକେଟର ସର୍ବଶ୍ରେଷ୍ଠ ଅଧିନାୟକର ମାନ୍ୟତା ମିଳେ। ଚେନ୍ନାଇ ପାଖରେ ଜୋସ୍ ହାଜେଲଉଡ୍, ଦୀପକ ଚହର, ଶାର୍ଦୁଳ ଠାକୁରଙ୍କ ଭଳି ଦ୍ରୁତ ବୋଲର ଏବଂ ମୋଇନ ଅଲ୍ଲୀ, ରବୀନ୍ଦ୍ର ଜାଦେଜା ଓ ଡ୍ବେନ୍ ବ୍ରାଭୋଙ୍କ ଭଳି ଅଲରାଉଣ୍ଡର ଅଛନ୍ତି। ଅନ୍ୟପକ୍ଷରେ ଶିଖର ଧାୱନ, ପୃଥ୍ବୀ ସ’, ଶ୍ରେୟସ୍ ଆୟର, ଷ୍ଟିଭେନ୍ ସ୍ମିଥ୍, ନିଜେ ଋଷଭ ପନ୍ତ, ସିମରନ୍ ହେଟମେୟରଙ୍କୁ ନେଇ ଦିଲ୍ଲୀର ବ୍ୟାଟିଂକ୍ରମ ବି ବେଶ୍ ସୁଦୃଢ଼। ତେବେ ଏମାନଙ୍କୁ ସ୍ଥିରତା‌ ରଖିବାକୁ ହେବ। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ ଆହତ ହୋଇ ବାଦ ପଡ଼ିବା ଦିଲ୍ଲୀ ପାଇଁ ଏକ ଶକ୍ତ ଧକ୍କା ହୋଇଥିଲେ ମଧ୍ୟ ଅନ୍ୟ ଖେଳାଳିମାନେ ଏହାକୁ ସଫଳତାର ସହ ଭରଣା କରିଛନ୍ତି। ବୋଲିଂରେ ଅନରିକ ନର୍ଖିୟା, କାଗିସୋ ରବାଦା, ଅଭେସ ଖାନଙ୍କ ଦ୍ରୁତ ବୋଲିଂ ସାଙ୍ଗକୁ ଅକ୍ଷର ପଟେଲ ଓ ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ସ୍ପିନ୍ ପ୍ରତିପକ୍ଷକୁ ଘାଇଲା କରିବାକୁ ପୂରା ସକ୍ଷମ।