ଆସନ୍ତା ୧୧ରେ ପ୍ରଥମ ପଲିଟିକାଲ ପେପର । ପ୍ରସ୍ତୁତି ଚଳାଇଛନ୍ତି ପରୀକ୍ଷାର୍ଥୀ, ପ୍ରାର୍ଥୀଙ୍କ ପରୀକ୍ଷା ଖାତାରେ ମାର୍କ ଦେବେ ଜନତା ।

ଗଣତନ୍ତ୍ରର ମହାପର୍ବ ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ପରୀକ୍ଷାର୍ଥୀ ବା ପ୍ରମୁଖ ଦଳର ପ୍ରାର୍ଥୀ ।

192

କନକ ବ୍ୟୁରୋ: ୧୯ ପରୀକ୍ଷାରେ କିଏ ହେବ ଟପ୍ପର ? ଗଣତନ୍ତ୍ରର ମହାପର୍ବ ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ପରୀକ୍ଷାର୍ଥୀ ବା ପ୍ରମୁଖ ଦଳର ପ୍ରାର୍ଥୀ । ଆଉ ମାତ୍ର ୫ ଦିନ ପରେ ପଲିଟିକାଲ ବ୍ୟାଟେଲର ପ୍ରଥମ ରାଉଣ୍ଡରେ ଭାଗ୍ୟ ପରୀକ୍ଷା କରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଚଳିତ ୨୦୧୯ ପଲିଟିକ୍ସ ପରୀକ୍ଷାରେ କେଉଁ ଦଳର ପରୀକ୍ଷାର୍ଥୀ ଭଲ ରେଜଲ୍ଟ ଆଣିବେ ସେନେଇ ଦିନରାତି, ଖରାତରାରେ ଜୋରଦାର ପ୍ରଚାର ଚଳାଇଛନ୍ତି । ନିଜ ସପକ୍ଷରେ ଜନମତ ସାଉଣ୍ଟି ମେ’ ୨୩ ଫଳାଫଳ ଭଲ କରିବା ସହ ସୁପ୍ରିମୋଙ୍କୁ ଖୁସି କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ ।

ଆସନ୍ତା ୧୧ ତାରିଖରେ ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଭଳି ୪ଟି ପରୀକ୍ଷା କେନ୍ଦ୍ର ବା ଲୋକସଭା କ୍ଷେତ୍ରରେ ପ୍ରଥମ ପଲିଟିକାଲ ପେପରର ଭାଗ୍ୟ ପରୀକ୍ଷା କରିବେ ପ୍ରାର୍ଥୀ । ଏହାସହ ୨୮ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ଜନତା ଜନାର୍ଦ୍ଧନ ନିଜର ନେତା ବାଛିବେ । ଆଉ ପ୍ରଚାର ମୈଦାନରେ ଜନତାଙ୍କୁ ସନ୍ତୁଷ୍ଟ କରିଥିବା ନେତା ହିଁ ଭୋଟ ବ୍ୟାଙ୍କ୍ ହାତେଇପାରିବ ବୋଲି ରାଜନୀତି ବିଷାରଦ ମାନେ ମତ ପ୍ରକାଶ କରିଛନ୍ତି । ସବୁଠାରୁ ରୋଚକ ବିଷୟ ହେଲା, ଚଳିତ ପଲିଟିକାଲ୍ ପେପର ସମସ୍ତ ଦଳର ପରୀକ୍ଷାର୍ଥୀଙ୍କ ପାଇଁ କଠିନ ରହିବ ବୋଲି ଚର୍ଚ୍ଚା ହେଉଛି ।

ଆଉମାତ୍ର ୫ ଦିନ ପରେ ଜନତା ଜନାର୍ଦ୍ଦନ ବିଭିନ୍ନ ଦଳର ପ୍ରାର୍ଥୀ ବା ପରୀକ୍ଷାର୍ଥୀଙ୍କ ଖାତାରେ ମାର୍କ ଦେବେ । କିଏ କେତେ ପ୍ରତିଶ୍ରୁତି ଆଉ ପ୍ରଚାର ଜରିଆରେ ମତଦାତାଙ୍କ ହୃଦୟକୁ ଛୁଇଁ ପାରିବ ସେନେଇ ଦିଲ୍ଲୀରୁ ପଲ୍ଲୀ ସବୁଠି ଏବେ ମନ୍ତ୍ରଣା ପରେ ମନ୍ତ୍ରଣା ନେଉଛନ୍ତି ପ୍ରାର୍ଥୀ । ଆଉ କେଉଁଠି କେନ୍ଦ୍ର ସରକାର ତ କେଉଁଠି ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ପ୍ରଥମ ପଲିଟିକାଲ ପେପରରେ ଭଲ କରିବାକୁ ଉଦ୍ୟମ ଚଳାଇଛନ୍ତି ପ୍ରାର୍ଥୀ । ତେବେ ଏହାରି ଭିତରେ ଚଳିତ ନିର୍ବାଚନ ପୂର୍ବରୁ ଦଳଡ଼ିଆଁ ପର୍ବ ରାଜ୍ୟ ରାଜନୀତିର ପଲିଟିକାଲ୍ ସିଲାବସକୁ ପୂରା ବିଗାଡ଼ି ଦେଇଛି । ଯାହାକି ସାଧାରଣ ଜନତାଙ୍କ ବୁଝିବାରେ କଷ୍ଟ ସାଧ୍ୟ ହୋଇପଡ଼ିଛି ।

୨୦୧୯ ପଲିଟିକାଲ ପରୀକ୍ଷାର ପ୍ରଥମ ପେପର ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରସ୍ତୁତ । ଆଉ ନିଜର ପ୍ରାର୍ଥୀ ବା ପରୀକ୍ଷାର୍ଥୀ ମାନଙ୍କୁ ମନ୍ତ୍ରଣା ପରେ ମନ୍ତ୍ରଣା ଦେଉଛନ୍ତି ସିନିୟର ନେତା । କେତେବେଳେ ଦିଲ୍ଲୀ ଦରବାରରୁ ଶୀର୍ଷ ନେତା ତ ଆଉ କେତେବେଳେ ଖୋଦ୍ ଶାସକ ଦଳର ସୁପ୍ରିମୋ ନିର୍ବାଚନୀ ବ୍ୟାଟେଲ୍ ଗ୍ରାଉଣ୍ଡକୁ ଓହ୍ଲାଇ ଘମାସାନ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହି ପରୀକ୍ଷାର ରେଜଲ୍ଟ ଆସନ୍ତା ମେ ୨୩ ତାରିଖରେ ଆସିବାକୁ ଥିବାବେଳେ ଏବେ ପରୀକ୍ଷାର୍ଥୀ ବା ପ୍ରାର୍ଥୀମାନଙ୍କ ମନରେ ଛନକା ଭରିଛି । ତେଣୁ ନିଜ ନିଜର ସତ୍ତା ବଜାୟ ରଖିବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ପ୍ରାର୍ଥୀ ।