୪ ଲୋକସଭା ଓ ୨୮ ବିଧାନସଭା ପାଇଁ ନେତା ବାଛିଲା ଦକ୍ଷିଣ ଓଡ଼ିଶା । ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ, ଇଭିଏମରେ ସିଲ୍ ହେଲା ୨୭୧ ପ୍ରାର୍ଥୀଙ୍କ ଭାଗ୍ୟ

193

କନକ ବ୍ୟୁରୋ : ୨୪ ସିଂହାସନ ପାଇଁ ଓଡ଼ିଶାରେ ପଡିଛି ପ୍ରଥମ ପର୍ଯ୍ୟାୟ ଭୋଟ । କିଛି ବିଶୃଙ୍ଖଳାର ଅଭିଯୋଗ ଆସିଛି, କିଛି ସ୍ଥାନରୁ ଆସିଛି ରିଗିଂ ଅଭିଯୋଗ । ଆଉ ଏହାରି ଭିତରେ ସଂଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ୬୭.୦୭ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ପଡିଛି ୬୫.୦୭ ପ୍ରତିଶତ ଭୋଟ । ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ରରେ ୬୧.୪୩ ପ୍ରତିଶତ ମତଦାତା ସେମାନଙ୍କ ଅଧିକାର ସାବ୍ୟସ୍ତ କରିଛନ୍ତି । ସବୁଠୁ କମ୍ ଭୋଟ ପଡିଛି ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ । ସଂଧ୍ୟା ୫ଟା ସୁଦ୍ଧା ସେଠାରେ ଭୋଟ ଦେଇଛନ୍ତି ମାତ୍ର ୫୮ ପ୍ରତିଶତ ଭୋଟର । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଧର୍ମଗଡ଼, ଜୁନାଗଡ଼ ଓ ନର୍ଲାରେ ୭୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି । ନବରଙ୍ଗପୁରର ଡାବୁଗାଁ ବିଧାନସଭାରେ ସଂଧ୍ୟା ୫ଟା ସୁଦ୍ଧା ସର୍ବାଧିକ ୭୧.୩୦ ପ୍ରତିଶତ ଭୋଟ ପଡିଛି ।