ଶିରିଡିର ସଂପତ୍ତି ! ଶିରିଡି ସାଇବାବାଙ୍କ ମନ୍ଦିରକୁ ମିଳେ କୋଟି କୋଟି ଟଙ୍କାର ଦାନ , ମନ୍ଦିରକୁ ବିଡ଼ା ବିଡ଼ା ଟଙ୍କା ଦାନ କରନ୍ତି ଭକ୍ତ ।

259

ମହାରାଷ୍ଟ୍ରର ଶିରିଡିରେ ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ଯେଉଁ କାରଣରୁ ଶନିବାର ରାତି ୧୨ ଟା ସମୟରେ ଗ୍ରାମସଭା ଡକାଯାଇ ଶିରିଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆପଣଙ୍କୁ କହିରଖୁଛୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜାନୁଆରୀ ୯ ତାରିଖରେ ଔରଙ୍ଗାବାଦରେ ସାଇବାବାଙ୍କ କଥିତ ଜନ୍ମସ୍ଥାନ ପାଥରୀ ସହର ପାଇଁ ୧୦୦ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ । ତେବେ ଠାକରେଙ୍କ ଏହି ନିଷ୍ପତ୍ତିକୁ ଶିରଡିବାସୀ ବିରୋଧ କରିଥିଲେ ଏବଂ ଯଦି ସରକାର ପାଥରୀକୁ ନେଇଥିବା ନିଷ୍ପତ୍ତିକୁ ଯଦି ଫେରସ୍ତ ନ ନିଅନ୍ତି ତେବେ ଶିରିଡିବାସୀ କୋର୍ଟର ଆଶ୍ରୟ ନେବେ ବୋଲି କହିଥିଲେ । ତେବେ ଏଥି ମଧ୍ୟରେ ସାଇବାବା ମନ୍ଦିରକୁ ଦିଆଯାଉଥିବା ଦାନକୁ ନେଇ ଚର୍ଚ୍ଚା ହେଉଛି । ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ୍ ଅନୁସାରେ , ଜାନୁଆରୀ ମାସର ୧୧ ଦିନ ଭିତରେ ବାବାଙ୍କ ମନ୍ଦିରକୁ ୧୭.୪୨ କୋଟି ଟଙ୍କା ଶ୍ରଦ୍ଧାଳୁ ଅର୍ପଣ କରିଥିଲେ ବୋଲି ସୂଚନା ମିଳିଥିଲା । ଏହି ସମୟରେ ୮ ଲକ୍ଷ ଭକ୍ତ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ ବୋଲି ଶୁଣିବାକୁ ମିଳିଛି । ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଦୀପକ ମୁଗଲିକରଙ୍କ କହିବାନୁସାରେ , ଡିସେମ୍ବର ୨୩ , ୨୦୧୯ ରୁ ୨ ଜାନୁଆରୀ ୨୦୨୦ ଭିତରେ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରୁ ୮.୨୩ ଲକ୍ଷ ଭକ୍ତ ଶିରିଡି ଯାଇ ମନ୍ଦିର ଦର୍ଶନ କରିଥିଲେ । ଏହି ସମୟରେ ୧,୨୧୩.୬୮୦ ଗ୍ରାମ୍ ସୁନା ଓ ୧୭,୨୨୩ ଗ୍ରାମ୍ ରୁପା ଦାନ ଦିଆଯାଇଥିଲା । ମୋଟ ୧୭.୪୨ କୋଟି ଟଙ୍କା ଦାନ କରାଯାଇଥିଲା । ଆପଣଙ୍କୁ କହିରଖୁଛୁ ଗତବର୍ଷ ଶିରିଡିରେ ୧୪.୫ କୋଟି ଟଙ୍କା ଦାନରେ ମିଳିଥିଲା ।

୨୦୧୯ ରେ ୨୮୭ କୋଟି ୬ ଲକ୍ଷ ୮୫ ହଜାର ଟଙ୍କା ମନ୍ଦିରକୁ ଦାନ ମିଳିଥିବା କଥା ରିପୋର୍ଟରୁ ଜଣାପଡିଥିଲା । ଯେଉଁଥିରେ ୧୫୬ କୋଟି ୪୯ ଲକ୍ଷ ୨୩୫୦ ଟଙ୍କା ଗୁପ୍ତ ଦାନ କରାଯାଇଥିଲା ବୋଲି ସୂଚନା ମିଳିଥିଲା । ମୋଟ ୬୦ କୋଟି ୮୪ ଲକ୍ଷ ୮ ହଜାର ୫୯୦ ଟଙ୍କା , ଚେକ୍ ଏବଂ ଡିଡିରେ ୨୩ କୋଟି ୩୫ ଲକ୍ଷ ୯୦ ହଜାର ୪୦୯ ଟଙ୍କା ଜମା ହୋଇଥିଲା । ୨ କୋଟି ୧୭ ଲକ୍ଷ ୮୩ ହଜାର ୫୧୫ ଟଙ୍କାର ମନିଅର୍ଡର ଏବଂ ୧୭ କୋଟି ୫୯ ଲକ୍ଷ ୧୧ ହଜାର ୪୨୪ ଟଙ୍କା ଡେବିଟ୍ /କ୍ରେଡିଟ୍୍ କାର୍ଡରୁ ମନ୍ଦିରକୁ ଦାନ କରାଯାଇଥିଲା ଏବଂ ଅନଲାଇନ୍ ରେ ୧୬ କୋଟି ୨ ଲକ୍ଷ ୫୧ ହଜାର ୬୦୬ ଟଙ୍କା ଦାନ ମିଳିଥିଲା । ଦାନରେ ସୁନାର ଗହଣା , ମୁଦ୍ରା ଏବଂ ଅନ୍ୟାନ୍ୟ ଦାମୀ ସାମଗ୍ରୀ ମଧ୍ୟ ମିଳିଥିବାର ସୂଚନା ମିଳିଛି । ଯେଉଁଥିରେ ସୁନାର ୧୯ କିଲୋଗ୍ରାମ୍ ଏବଂ ରୁପାରୁ ୩୯୧ କିଲୋଗ୍ରାମ୍ ମିଳିଛି ।