ଆସନ୍ତା ୨୪ ଘଣ୍ଟାରେ ରାଜ୍ୟ ଅନେକ ସ୍ଥାନରେ ବର୍ଷା ! ଆଜି ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Advertisment
ଓଡ଼ିଶା ଛୁଇଁବ ମୌସୁମୀ : ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ; ୧୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

କନକ ବ୍ୟୁରୋ: ଗତକାଲି ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ହୋଇଛି। ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଫଳରେ ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଏହା ମୌସୁମୀକୁ ସକ୍ରିୟ କରିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ରାଜ୍ୟର ଅନ୍ୟ କିଛି ଅଞ୍ଚଳରେ ସକ୍ରିୟ ହେବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନ‌ା ଦିଆଯାଇଛି।

ଅନ୍ୟପକ୍ଷରେ ପୂର୍ବ -କେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିଛି। ଅର୍ଥାତ୍‌ ଲଘୁଚାପ କ୍ଷେତ୍ରଟି ଉତ୍ତର ଆନ୍ଧ୍ରପ୍ରଦେଶ- ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି। ଏହା କ୍ରମେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶା ତଥା ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।  ଆଜି କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଦୁଇଟି ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୍ଵାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟର ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ପୁରୀ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାର ଗୋଟିଏ/ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପୁଣି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର ଓ ଖୋର୍ଧା ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଏଣୁ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲାରେ ୟେ‌ଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ବାଲେଶ୍ୱର, ଭଦ୍ରକ, କଟକ, ଯାଜପୁର ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ ଉପରୋକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୨ ତାରିଖ ଅପରାହ୍ନରୁ ୧୩ ତାରିଖ ସକାଳ ପର୍ଯ୍ୟନ୍ତ ନବରଙ୍ଗପୁର, ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ସେହିପରି ୧୩ ତାରିଖ ଅପରାହ୍ନରୁ ୧୪ ତାରିଖ ସକାଳ ପର୍ଯ୍ୟନ୍ତ ବରଗଡ଼, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହି ସମୟରେ ଉପକୂଳ ଅଂଚଳରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ ଏଣୁ ୧୨ ତାରିଖ ଦିନ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଛି। ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ଅନୁଯାୟୀ ଓଡ଼ିଶାରେ ପର୍ଯ୍ୟାୟ କ୍ରମେ ମୌସୁମୀ ବର୍ଷା ହେବାକୁ ଯାଉଛି। ୧୨ ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ହେବ। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଊଣା ଅଧିକେ ଲାଗି ରହିବ। ଗଞ୍ଜାମ, ଗଜପତି, ଅବିଭକ୍ତ, କୋରାପୁଟ, କନ୍ଧମାଳ ଓ ନୟାଗଡ଼ରେ ସ୍ବଭାବିକଠାରୁ ବ‌େଶ୍‌ ଅଧିକ ରହିବ। ଯାହାକି ୧୦୦ ମିମିରୁ ଅଧିକ ରହିବ। ଉତ୍ତର ପୁରୀ, ଖୋର୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ଉପକୂଳ ବାଲେଶ୍ବରରେ ସବୁଠାରୁ କମ୍‌ ବର୍ଷା ହେବ। ରାଜ୍ୟର ବାକି ଅଞ୍ଚଳରେ ବର୍ଷା ପରିମାଣ ସ୍ବଭାବିକ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe