ରାଜଧାନୀରେ ଅସୁରକ୍ଷିତ ନାରୀ । ୨୪ ଘଣ୍ଟାରେ ୩ଝିଅ, ମହିଳାଙ୍କୁ ହତ୍ୟା ଅଭିଯୋଗ

461

କନକ ବ୍ୟୁରୋ : ନାରୀଙ୍କ ପାଇଁ ଅସୁରକ୍ଷିତ ରାଜଧାନୀ । ଗତ ୨୪ ଘଂଟା ଭିତରେ ଗଲାଣି ୩ ଝିଅ, ମହିଳାଙ୍କ ଜୀବନ । କେଉଁଠି ବଧୂ ହତ୍ୟା ଅଭିଯୋଗ, ତ ପୁଣି କେଉଁଠି ମହିଳାଙ୍କୁ ଛୁରୀ ଭୁଷି ହତ୍ୟା । ଏପରିକି ମାତ୍ର ୩ ବର୍ଷର କଅଁଳା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଖବର ଗତ ୨୪ ଘଂଟା ଭିତରେ ସାମ୍ନାକୁ ଆସିଛି । ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । ଝିଅକୁ ଶାଶୁଘରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏୟାରଫିଲ୍ଡ ଥାନା ଅରବିନ୍ଦ ନଗରରେ ପ୍ରିୟଙ୍କା ମିଶ୍ରଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି । ଅଢ଼େଇ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ାର ପ୍ରିୟଙ୍କା ମିଶ୍ରଙ୍କ ସହ ଅରବିନ୍ଦ ନଗରର ପ୍ରଦୀପ୍ତ ଦାସଙ୍କ ପୁଅ ସୁରଜ ଦାସଙ୍କ ବିବାହ ହୋଇଥିଲା । ବିବାହ ପରଠାରୁ ଶାଶୁଘର ଲୋକେ ପ୍ରିୟଙ୍କା ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଏବଂ ପୂର୍ବରୁ ପ୍ରିୟଙ୍କାଙ୍କ ଗର୍ଭ ନଷ୍ଟ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ସେହି ଏୟାରଫିଲ୍ଡ ଥାନା କେଳା ବସ୍ତିରୁ ଆସିଛି ଆଉ ଏକ ଜଘନ୍ୟକାଣ୍ଡ । ୩ ବର୍ଷର ଶିଶୁ କନ୍ୟାକୁ ତଂଟି କାଟି ହତ୍ୟା ଅଭିଯୋଗ । ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣା ପଛରେ ନାବାଳିକାର ଦାଦା ଘନିଆ ଦାସ୍ ସମ୍ପୃକ୍ତ ଥିବା ଜଣାପଡିଛି । ତେବେ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଘନିଆ ଫେରାର ହୋଇଯାଇଛି । ସେପଟେ ଘଟଣା ସ୍ଥଳରେ ସାଇଁଟିଫିକ୍ ଟିମ୍ ପହଁଚି ତଦନ୍ତ ଆରମ୍ଭ କରିଛି । ତଦନ୍ତରେ ରକ୍ତ ଭିଜା ଡ୍ରେସ୍ ଓ ଛୁରୀ ଜବତ କରିଛି ସାଇଁଟିଫିକ୍ ଟିମ୍ । ଦୁଷ୍କର୍ମ ପୂର୍ବରୁ ଦୋକାନରୁ ଚକଲେଟ୍ କିଣି ନାବାଳିକା ଶିଶୁ କନ୍ୟାକୁ ଦେଇଥିଲା ଅଭିଯୁକ୍ତ । ପରେ ଘରେ ଦୁଷ୍କର୍ମ କରିବା ସହ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି ।

ମହିଳାଙ୍କୁ ଛୁରୀ ଭୁଷି ହତ୍ୟା । ଚନ୍ଦକା ଥାନା ଅଂଚଳରେ ଅଘଟଣ । ଗୋଠପାଟଣା ଛକ ନିକଟରେ ଏକ ଜଳଖିଆ ଦୋକାନ କରିଥିବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା । ଗତକାଲି ରାତିରେ କେହି ଜଣେ ଦୁର୍ବୃତ ମହିଳାଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାଁ ସସ୍ମିତା ବେହେରା । ତାଙ୍କ ବୟସ ୩୫ ବର୍ଷ ହୋଇଥିବାବେଳେ ଗୋଠପାଟଣା ଛକରେ ଏକ ଜଳଖିଆ ଦୋକାନ କରିଥିଲେ । କ୍ରିଷ୍ଣାପୁରୀ କଲୋନୀରେ ନିଜ ପରିବାର ସହ ରହୁଥିଲେ ସସ୍ମିତା । ତେବେ ଗତକାଲି କେହି ଜଣେ ଦୁର୍ବୃତ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ବର୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନାହିଁ । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି ।