ମହାରାଷ୍ଟ୍ରରେ ମହାସଙ୍କଟ । ବିଜେପି ମନା କରିବା ପରେ ଦ୍ୱିତୀୟ ବୃହତ ଦଳ ଶିବସେନାକୁ ଡାକିଲେ ମହାରାଷ୍ଟ୍ର ରାଜ୍ୟପାଳ,ଆଜି ଶରଦ ପାୱାରଙ୍କୁ ଭେଟିବେ ଶିବସେନା ନେତା

ମହାରାଷ୍ଟ୍ରରେ ମହାସଙ୍କଟ । ବିଜେପି ମନା କରିବା ପରେ ଦ୍ୱିତୀୟ ବୃହତ ଦଳ ଶିବସେନାକୁ  ଡାକିଲେ ମହାରାଷ୍ଟ୍ର ରାଜ୍ୟପାଳ,ଆଜି ଶରଦ ପାୱାରଙ୍କୁ ଭେଟିବେ ଶିବସେନା ନେତା

ସରକାର ଗଢ଼ିବାକୁ ବିଜେପି ମନା କରିଦେବା ପରେ ଦ୍ୱିତୀୟ ବଡ଼ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ସରକାର ଗଠନ ପାଇଁ ଦଳର ଆଗ୍ରହ ଓ ସାମର୍ଥ୍ୟ ଅଛି ନା’ ନାହିଁ ସେନେଇ ପଚାରି ବୁଝିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ । ବିଜେପି ୧୦୫ ଆସନ ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସାମ୍ନାକୁ ଆସିଥିଲା । ଉଭୟ ବିଜେପି ଓ ଶିବସେନା ମେଂଟ କରି ନିର୍ବାଚନ ଲଢ଼ିଥିଲେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇନଥିଲା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନାର ଜିଦ୍ ଏବଂ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବିଜେପି ରାଜି ନହେବା ଫଳରେ ସରକାର ଗଠନ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି । ବିଜେପିକୁ ପ୍ରଥମ ସରକାର ଗଠନ ପାଇଁ ରାଜ୍ୟପାଳ ଡାକିଥିଲେ । ସରକାର ଗଢିବା ପାଇଁ ବିଜେପି ଅକ୍ଷମତା ପ୍ରକାଶ କରିବା ପରେ ୫୬ ଆସନ ପାଇଥିବା ଶିବସେନାକୁ ଦ୍ୱିତୀୟ ବୃହତ ଦଳ ଭାବେ ସରକାର ଗଠନ କରିବାକୁ ଆମନ୍ତ୍ରଣ ଦେଇଛନ୍ତି ରାଜ୍ୟପାଳ । ଏହାପରେ ମହାରାଷ୍ଟ୍ରରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି ।

publive-image

ଆଜିି ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ସରକାର ଗଠନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଶିବସେନାକୁ କହିଛନ୍ତିି ରାଜ୍ୟପାଳ । ତେବେ ରାଜ୍ୟପାଳଙ୍କ ନିକଟରେ ନିଜ ପକ୍ଷ ରଖିବାକୁ ଶିବସେନା ଅଧିକ ସମୟ ମାଗିପାରେ ବୋଲି ଚର୍ଚ୍ଚା ହେଉଛି । ତାଜା ସୂଚନା ଅନୁସାରେ ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଶିବସେନା ଆଲୋଚନା କରିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ୧୨ ତାରିଖ ଦିନ ଏନସିପି ବିଧାୟକ ଦଳ ବୈଠକ ଡକାଯାଇଛି । ତେବେ ଶିବସେନାକୁ ସରକାର ଗଠନ ପାଇଁ ସମର୍ଥନ ବଦଳରେ କିଛି ସର୍ତ ରଖିଛି ଏନସିପି । ପ୍ରଥମେ ଏନଡିଏରୁ ଓହରି ଯିବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଶିବସେନା ଇସ୍ତଫା ଦେବା ପରେ, ସମର୍ଥନ ନେଇ କଂଗ୍ରେସ-ଏନସିପି ମେଂଟ ବିଚାର କରିବେ ବୋଲି ସର୍ତ ରଖାଯାଇଛି । ମହାରାଷ୍ଟ୍ର ବିଧାନସଭାରେ ଏନସିପିର ୫୪ ଓ କଂଗ୍ରେସର ୪୪ ଜଣ ସଦସ୍ୟ ରହିଛନ୍ତି । ସେପଟେ ଉଦ୍ଧବ ଠାକରେ ଶିବସେନାର ବିଧାୟକମାନଙ୍କୁ ସମ୍ବୋଧନ କରି କହିଛନ୍ତି, ଶିବସେନା ଏବେ ଆଉ ପାଲିଙ୍କି ବୋହିବ ନାହିଁ । ଏବେ ପାଲିଙ୍କିରେ ବସିବାର ସମୟ ଆସିଛି । ମୁମ୍ବାଇର ଏକ ତାରକା ହୋଟେଲରେ ଏବେ ଶିବସେନାର ସମସ୍ତ ବିଧାୟକକୁ ରଖାଯାଇଛି ।

publive-image

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା ଓ ବିଜେପି ମଧ୍ୟରେ ଦୁଇ ସପ୍ତାହ ଧରି ଛକାପଞ୍ଝା ଚାଲିବା ପରେ ବିଜେପି ହାତ ଟେକି ଦେଇଛି । ରାଜ୍ୟପାଳଙ୍କୁ ଭେଟି ବିଜେପି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଦଳ କହିଛି, ବିଜେପି ଏକୁଟିଆ ସରକାର ଗଠନ କରିପାରିବ ନାହିଁ । ତେଣୁ ସେମାନେ ସରକାର ଗଠନ କରିବେ ନାହିଁ । ଏନସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଠନ ପାଇଁ ଦାବି କରିପାରେ ବୋଲି ଦଳ କହିଛି । ଗତକାଲି ବିଜେପିର କୋର କମିଟି ବୈଠକ ପରେ ବରିଷ୍ଠ ନେତା ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ମହାରାଷ୍ଟ୍ରର ଜନତା ବିଜେପି ଓ ଶିବସେନାର ମେଂଟକୁ ଜନାଦେଶ ଦେଇଥିଲେ । କିନ୍ତୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନା ଏହି ଜନାଦେଶକୁ ଅସମ୍ମାନ କରି ଏକାଠି ସରକାର ଗଠନ ପାଇଁ ରାଜି ହେଉନାହିଁ । ତେଣୁ ସେମାନେ ସରକାର ଗଠନ କରିବେ, ଏଥିପାଇଁ ତାଙ୍କୁ ଶୁଭକାମନା ବୋଲି କହିଛନ୍ତି ପାଟିଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe