ସରକାର ଗଢ଼ିବାକୁ ବିଜେପି ମନା କରିଦେବା ପରେ ଦ୍ୱିତୀୟ ବଡ଼ ଦଳ ଭାବେ ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି ରାଜ୍ୟପାଳ । ସରକାର ଗଠନ ପାଇଁ ଦଳର ଆଗ୍ରହ ଓ ସାମର୍ଥ୍ୟ ଅଛି ନା’ ନାହିଁ ସେନେଇ ପଚାରି ବୁଝିଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ । ବିଜେପି ୧୦୫ ଆସନ ସହ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ସାମ୍ନାକୁ ଆସିଥିଲା । ଉଭୟ ବିଜେପି ଓ ଶିବସେନା ମେଂଟ କରି ନିର୍ବାଚନ ଲଢ଼ିଥିଲେ ବି ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇନଥିଲା । ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନାର ଜିଦ୍ ଏବଂ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ବିଜେପି ରାଜି ନହେବା ଫଳରେ ସରକାର ଗଠନ ପ୍ରକ୍ରିୟା ବିଳମ୍ବ ହେବାରେ ଲାଗିଛି । ବିଜେପିକୁ ପ୍ରଥମ ସରକାର ଗଠନ ପାଇଁ ରାଜ୍ୟପାଳ ଡାକିଥିଲେ । ସରକାର ଗଢିବା ପାଇଁ ବିଜେପି ଅକ୍ଷମତା ପ୍ରକାଶ କରିବା ପରେ ୫୬ ଆସନ ପାଇଥିବା ଶିବସେନାକୁ ଦ୍ୱିତୀୟ ବୃହତ ଦଳ ଭାବେ ସରକାର ଗଠନ କରିବାକୁ ଆମନ୍ତ୍ରଣ ଦେଇଛନ୍ତି ରାଜ୍ୟପାଳ । ଏହାପରେ ମହାରାଷ୍ଟ୍ରରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି ।

Advertisment

publive-image

ଆଜିି ସଂଧ୍ୟା ସାଢ଼େ ୭ଟା ସୁଦ୍ଧା ସରକାର ଗଠନ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ଶିବସେନାକୁ କହିଛନ୍ତିି ରାଜ୍ୟପାଳ । ତେବେ ରାଜ୍ୟପାଳଙ୍କ ନିକଟରେ ନିଜ ପକ୍ଷ ରଖିବାକୁ ଶିବସେନା ଅଧିକ ସମୟ ମାଗିପାରେ ବୋଲି ଚର୍ଚ୍ଚା ହେଉଛି । ତାଜା ସୂଚନା ଅନୁସାରେ ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ଶିବସେନା ଆଲୋଚନା କରିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ୧୨ ତାରିଖ ଦିନ ଏନସିପି ବିଧାୟକ ଦଳ ବୈଠକ ଡକାଯାଇଛି । ତେବେ ଶିବସେନାକୁ ସରକାର ଗଠନ ପାଇଁ ସମର୍ଥନ ବଦଳରେ କିଛି ସର୍ତ ରଖିଛି ଏନସିପି । ପ୍ରଥମେ ଏନଡିଏରୁ ଓହରି ଯିବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଶିବସେନା ଇସ୍ତଫା ଦେବା ପରେ, ସମର୍ଥନ ନେଇ କଂଗ୍ରେସ-ଏନସିପି ମେଂଟ ବିଚାର କରିବେ ବୋଲି ସର୍ତ ରଖାଯାଇଛି । ମହାରାଷ୍ଟ୍ର ବିଧାନସଭାରେ ଏନସିପିର ୫୪ ଓ କଂଗ୍ରେସର ୪୪ ଜଣ ସଦସ୍ୟ ରହିଛନ୍ତି । ସେପଟେ ଉଦ୍ଧବ ଠାକରେ ଶିବସେନାର ବିଧାୟକମାନଙ୍କୁ ସମ୍ବୋଧନ କରି କହିଛନ୍ତି, ଶିବସେନା ଏବେ ଆଉ ପାଲିଙ୍କି ବୋହିବ ନାହିଁ । ଏବେ ପାଲିଙ୍କିରେ ବସିବାର ସମୟ ଆସିଛି । ମୁମ୍ବାଇର ଏକ ତାରକା ହୋଟେଲରେ ଏବେ ଶିବସେନାର ସମସ୍ତ ବିଧାୟକକୁ ରଖାଯାଇଛି ।

publive-image

ମହାରାଷ୍ଟ୍ରରେ ସରକାର ଗଠନ ନେଇ ଶିବସେନା ଓ ବିଜେପି ମଧ୍ୟରେ ଦୁଇ ସପ୍ତାହ ଧରି ଛକାପଞ୍ଝା ଚାଲିବା ପରେ ବିଜେପି ହାତ ଟେକି ଦେଇଛି । ରାଜ୍ୟପାଳଙ୍କୁ ଭେଟି ବିଜେପି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ଦଳ କହିଛି, ବିଜେପି ଏକୁଟିଆ ସରକାର ଗଠନ କରିପାରିବ ନାହିଁ । ତେଣୁ ସେମାନେ ସରକାର ଗଠନ କରିବେ ନାହିଁ । ଏନସିପି ଓ କଂଗ୍ରେସ ସହ ମିଶି ଶିବସେନା ସରକାର ଗଠନ ପାଇଁ ଦାବି କରିପାରେ ବୋଲି ଦଳ କହିଛି । ଗତକାଲି ବିଜେପିର କୋର କମିଟି ବୈଠକ ପରେ ବରିଷ୍ଠ ନେତା ଚନ୍ଦ୍ରକାନ୍ତ ପାଟିଲ କହିଛନ୍ତି, ମହାରାଷ୍ଟ୍ରର ଜନତା ବିଜେପି ଓ ଶିବସେନାର ମେଂଟକୁ ଜନାଦେଶ ଦେଇଥିଲେ । କିନ୍ତୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଶିବସେନା ଏହି ଜନାଦେଶକୁ ଅସମ୍ମାନ କରି ଏକାଠି ସରକାର ଗଠନ ପାଇଁ ରାଜି ହେଉନାହିଁ । ତେଣୁ ସେମାନେ ସରକାର ଗଠନ କରିବେ, ଏଥିପାଇଁ ତାଙ୍କୁ ଶୁଭକାମନା ବୋଲି କହିଛନ୍ତି ପାଟିଲ ।