ସଂକ୍ରମଣ ରୋକିବାକୁ ପ୍ରଶାସନର ବଡ ପଦକ୍ଷେପ: ଖୋର୍ଦ୍ଧା ସବଡିଭିଜନରେ ଲାଗୁ ହେଲା ୧୬ ଘଂଟିଆ ସଟଡାଉନ; ସକାଳ ୬ରୁ ଦିନ ୨ଟା ଯାଏଁ କୋହଳ ହେବ କଟକଣା

1,174

କନକ ବ୍ୟୁରୋ: କରୋନା ସଂକ୍ରମଣ ରୋକିବାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ ପଦକ୍ଷେପ । ଦୈନିକ ଲାଗୁ ହେଲା ୧୬ ଘଂଟିଆ ସଟଡାଉନ୍ । ଆଜିଠାରୁ ଆସନ୍ତା ୩୦ ତାରିଖ ଯାଏଁ ପ୍ରତ୍ୟେକ ଦିନ ୨ଟାରୁ ସକାଳ ୬ଟା ଯାଏଁ ଦୋକାନ ବଜାର ସଟଡାଉନ୍ ରହିବ । ଏହି କଟକଣାରୁ କେବଳ ଔଷଧ ଦୋକାନ, ପେଟ୍ରୋଲ ପମ୍ପକୁ ବାଦ୍ ପଡିବ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ । ଏହି କଟକଣା କେବଳ ଖୋର୍ଦ୍ଧା ଉପଖଣ୍ଡ ମଧ୍ୟରେ ଲାଗୁ ହେବ । ଭୁବନେଶ୍ୱର ଉପରେ ଏହାର କୌଣସି ପ୍ରଭାବ ରହିବନି ।

ସେପଟେ, ଗତ ୨୪ ଘଂଟାରେ ରାଜ୍ୟରେ ୧୦୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ୯୫ ଜଣ କ୍ୱାରେଂଟିନ୍ ଏବଂ ୧୩ ଜଣ ସ୍ଥାନୀୟ ଅଂଚଳରୁ ରହିଛନ୍ତି । ୧୦୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରିରୁ ସର୍ବାଧିକ ୨୧ ଜଣ ଆକ୍ରାନ୍ତ ରହିଛନ୍ତି । ପୁରୀରୁ ୧୫ ଜଣ, ଜଗତସିଂହପୁରରୁ ୯, ଗଂଜାମରୁ ୮, ଗଜପତି ୭ , କେନ୍ଦୁଝର ୫, ଖୋର୍ଧା ୭, କେନ୍ଦ୍ରାପଡା ୯ , ସୁନ୍ଦରଗଡରୁ ୨, ଅନୁଗୁଳ , କଟକ, କଳାହାଣ୍ଡି, ବରଗଡ, ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଅଗ୍ନିଶମ ବାହିନୀ ସଦସ୍ୟଙ୍କ ମଧ୍ୟରୁ ଆଉ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୬୩କୁ ବୃଦ୍ଧି ହୋଇଛି । ସେପଟେ ୨୧ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମାଲକାନଗିରିରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୭କୁ ବୃଦ୍ଧି ହୋଇଛି ।