ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ଖୋଳିଦେଲେ ବାଇଶି ପାହାଚ । ଲାଗିବ ଲୁହା ରେଲିଂ, ପିଣ୍ଡଦାନକୁ ନେଇ ଆଶଙ୍କା । ବସିପାରିବେନି ମାନସିକଧାରୀ ଭକ୍ତ

234

କନକ ବ୍ୟୁରୋ: ଆସନ୍ତା ପହିଲାରୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗୁ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ବାଇଶି ପାହାଚର ଦୁଇ ପାର୍ଶ୍ବକୁ ଡ୍ରିଲିଂ ମେସିନ୍ ଦ୍ବାରା ଖୋଳାଯାଇଛି। ଏଥିରେ ଲୁହା ରେଲିଂ ଦିଆଯାଇ ଧାଡ଼ି ବ୍ୟବସ୍ଥା କରାଯିବ। ତେବେ ଶୃଙ୍ଖଳା ଆଳରେ ପ୍ରଶାସନ ବାଇଶି ପାହାଚ ଖୋଳି ଦେଇଥିବାରୁ ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଫଳପ୍ରଦ ହେବ ନାହିଁ ବୋଲି ସେବକମାନେ ମତ ରଖିଥିବା ବେଳେ ଭକ୍ତମାନେ ବାଇଶି ପାହାଚ ଖୋଳାଯିବା ଧାର୍ମିକ ଭାବନା ପ୍ରତି ଆଘାତ ବୋଲି କହିଛନ୍ତି।

ଶ୍ରୀମନ୍ଦିରରେ ବାଇଶି ପାହାଚ ଖାଲି ପବିତ୍ର ନୁହେଁ, ଏହାର ସ୍ବତନ୍ତ୍ରତା ମଧ୍ୟ ରହିଛି। ବାଇଶି ପାହାଚରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଇଥାଏ। ପିତୃପକ୍ଷ ତଥ୍ୟ ଅନ୍ୟ ଦିନମାନଙ୍କରେ ଏଠାରେ ଶହ ଶହ ଭକ୍ତ ପିଣ୍ଡଦାନ କରିଥାନ୍ତି। ସେହିପରି ମାନସିକ ପୂରଣ ପାଇଁ ବାପା, ମା’ମାନେ ନିଜ ପିଲାମାନଙ୍କୁ ବାଇଶି ପାହାଚରେ ଗଡ଼ାଇଥାନ୍ତି। ମନ୍ଦିରରେ ଦର୍ଶନ ସାରି ଭକ୍ତମାନେ କିଛି ସମୟ ବାଇଶି ପାହାଚରେ ବସିଥାନ୍ତି। ଏହାଦ୍ବାରା ଦର୍ଶନରେ ପୂର୍ଣ୍ଣତା ଆସିଥାଏ ବୋଲି ବିଶ୍ବାସ ରହିଛି। ତେବେ ଧାଡି ଦର୍ଶନ ପରେ ଭକ୍ତଙ୍କୁ ହୁଏତ ଆଉ ଏ ସୁଯୋଗ ମିଳିବ ନାହିଁ। ଶ୍ରୀମନ୍ଦିର ବାଇଶି ପାହାଚକୁ ୨୨ ଋଷି ବୋଲି କୁହାଯାଇଥାଏ। ଏହାର ନାମକରଣ ମଧ୍ୟ ହୋଇଛି। ପ୍ରଥମ ପାହାଚର ନାମ ତ୍ରୀବା ଥିବା ବେଳେ ଦ୍ବିତୀୟ ପାହାଚକୁ ମନ୍ଦା, ସେହିଭଳି କ୍ରମାନ୍ବୟରେ ଛନ୍ଦାବତୀ, ଦୟାବତୀ, ରଂଜନୀ, ରତିକା, ରୌଦ୍ରା, କ୍ରୋଧା, ବଦ୍ରିକା, ପ୍ରସାରିଣୀ, ବ୍ରତୀ, ମାଜର୍ନୀ, କ୍ଷାତି, ରକ୍ତା, ସନ୍ଦିପନୀ, ଆଜାପନୀ, ମଦନ୍ତୀ, ରୋହିଣୀ, ରମ୍ୟା, ଉଗ୍ରା ଓ କ୍ଷୋଭିନୀ ନାମରେ ନାମିତ କରାଯାଇଛି।

ଧାଡ଼ି ବ୍ୟବସ୍ଥା ପ୍ରଚଳନ ହେଲେ ସିଂହଦ୍ବାର ଦେଇ ଭକ୍ତ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଥା ହୋଇଛି। ତେବେ ଧାଡ଼ି ବ୍ୟବସ୍ଥା ଯୋଗୁ ବାଇଶି ପାହାଚେର ଯେଉଁ ସବୁ କର୍ମକାଣ୍ଡ, ମାନସିକ ପୂର୍ଣ୍ଣାଦି ଆଦି ହେଉଥିଲା ସେଥିରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ଭକ୍ତ ଓ ସେବକ ସମାଜ ଏହାକୁ ନାପସନ୍ଦ କରିଛନ୍ତି। ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଶ ଦାସଙ୍କ ସୂଚନା ଅନୁସାରେ, ୨୨ ପାହାଚକୁ ନେଇ ବହୁ ଧାର୍ମିକ ବିଶ୍ବାସ ରହିଛି। ପୂର୍ବରୁ ୨୨ ପାହାଚ ବହିସ୍ଥ ପାହାଚ ବା ବାହାରକୁ ଥିବା ପାହଚ ବୋଲି କୁହାଯାଉଥିଲା। ମେଘନାଦ ପାଚେରୀ ଓ ପରେ କୁରୁମ ବେଢା ନିର୍ମାଣ ହେବା ପରେ ଏହା ଅପଭ୍ରଂଶ ହୋଇ ବାଇଶି ପାହାଚରେ ନାମିତ ହେଲା। ଧାଡ଼ି ଦର୍ଶନ ହେଲେ ଭକ୍ତ ବାଇଶି ପାହାଚ ଭଳି ପବିତ୍ର ସ୍ଥାନରେ କର୍ମକାଣ୍ଡରୁ ବଞ୍ଚିତ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।