ହାଇଦ୍ରାବାଦର ମହିଳା ପଶୁ ଡାକ୍ତର ଗଣଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ନାଁ ନନେଇ ‘ଦିଶା’ ନାମରେ ଖବର ପରିବେଷଣ କରିବାକୁ ଗଣମାଧ୍ୟମକୁ ଅପିଲ୍ କଲା ପୋଲିସ୍ : ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ

469

ପଶୁ ଚିକିତ୍ସକ ‘ଦିଶା’ଙ୍କ ଗଣ ଦୁଷ୍କର୍ମ ଓ ହତ୍ୟା ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପୋଲିସକୁ କୁହାଯାଇଛି । ହାଇଦ୍ରାବାଦରେ ଗଣ ଦୁଷ୍କର୍ମ ଓ ହତ୍ୟା ଶିକାର ହୋଇଥିବା ପଶୁ ଚିକିତ୍ସକଙ୍କ ନାମ ‘ଦିଶା’ ଭାବେ ବ୍ୟବହାର କରିବାକୁ ପୋଲିସ ସାମ୍ବାଦିକମାନଙ୍କୁ ଅନୁରୋଧ କରିଛି ।

ଇତି ମଧ୍ୟରେ ଏଥିପାଇଁ ଏକ ଫାସଟ୍ରାକ୍ କୋର୍ଟ ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ନିକଟରେ ଏହି ଘଟଣାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ସେ ଅତ୍ୟନ୍ତ ଭୟାବହ ଓ ଲୋମହର୍ଷଣ ବୋଲି କହିଛନ୍ତି । ପୀଡିତାଙ୍କୁ କିଭଳି ଯଥାଶୀଘ୍ର ନ୍ୟାୟ ମିଳିପାରିବ ସେ ନେଇ ଅଦାଲତ ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରିୟଙ୍କାଙ୍କ ପରିବାରରକୁ ଯଥାଶୀଘ୍ର କ୍ଷତିପୂରଣ ସହିତ ସମସ୍ତ ପ୍ରକାରର ସାହାଯ୍ୟ କରାଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି ।

ଅନ୍ୟପକ୍ଷରେ ଜାତୀୟ ମହିଳା କମିସନ୍ ପୀଡିତା ଡାକ୍ତରଙ୍କ ପରିବାରକୁ ଭେଟି ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାନୁସାରେ, ଗତ ୨୭ ଓ ୨୮ ନଭେମ୍ବରରେ ନୃଶଂସତାର ସବୁ ସୀମା ଟପି ୪ଜଣ ଅଭିଯୁକ୍ତ ମହିଳା ପଶୁ ଡାଙ୍କରଙ୍କୁ ଗଣ ଦୁଷ୍କର୍ମ କରି ଜୀବନ୍ତ ଦଗ୍ଧ କରି ହତ୍ୟା କରିଥିଲେ । ସେପଟେ ଅଭିଯୁକ୍ତଙ୍କ ମାଆ ମଧ୍ୟ ଦୁଷ୍କର୍ମକାରୀମାନଙ୍କୁ ସମସ୍ତଙ୍କ ସାମ୍ନାରେ ଜୀଅନ୍ତା ଜାଳି ଦେବାକୁ ସରକାରଙ୍କୁ ଅପିଲ କରିଛନ୍ତି । ସଡକରୁ ସଂସଦ ମାର୍ଗ, ସୋସିଆଲ ମିଡିଆ ସବୁଠି ହାଇଦ୍ରାବାଦର ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ହତ୍ୟା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ କ୍ରୋଧର ବହ୍ନି ଦେଖିବାକୁ ମିଳୁଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରି ଦୋଷୀକୁ କଠୋର ଦଣ୍ଡ ଦାବି ନେଇ ସ୍ୱର ଉଠାଉଛନ୍ତି ଜନତା । ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।