ବଜ୍ରପାତ ସମୟରେ ବାହାରେ ଥିଲେ କଣ କରିବେ? ଜାଣନ୍ତୁ ବଜ୍ରପାତରୁ ରକ୍ଷା ପାଇବା ପାଇଁ କିଛି ଜରୁରୀ ଉପାୟ

1,231

ପ୍ରତିବର୍ଷ ଶହ ଶହ ଲୋକଙ୍କ ଜୀବନ ନେଉଛି ବିଜୁଳି । ଖାସକରି ବର୍ଷାଦିନେ ବଜ୍ରପାତ ଯୋଗୁଁ ଅଧିକ ଲୋକ ପ୍ରାଣ ହରାଇଥାନ୍ତି । କାରଣ ବର୍ଷାଦିନେ ହିଁ ଆକାଶରେ ଅଧିକ ବଜ୍ରପାତ ହୋଇଥାଏ । ଯେଉଁମାନେ ବର୍ଷା ଦିନେ ଖୋଲା ପଡ଼ିଆରେ ଛିଡ଼ା ହୋଇଥାନ୍ତି, ଗଛ ତଳେ ଆଶ୍ରୟ ନେଇଥାନ୍ତି, ବିଦ୍ୟୁତ ଖୁମ୍ବ କିମ୍ବା ମୋବାଇଲ ଟାୱାର ନିକଟରେ ଛିଡ଼ା ହୋଇଥାନ୍ତି ସେମାନଙ୍କ ପାଇଁ ବଜ୍ରପାତ ବିପଦ ଅଧିକ ରହିଥାଏ । ତେବେ କିଛି ସର୍ତକତା ଅବଲମ୍ବନ କରିବା ଦ୍ୱାରା ଖୋଲା ଆକାଶ ତଳେ ଥିଲେ ମଧ୍ୟ ଆପଣ ନିଜର ଜୀବନ ବଞ୍ଚାଇପାରିବେ । ଏନଡିଆରଫ ଦ୍ୱାରା ଜାରି କରାଯାଇଥିବା ଏକ ଭିଡିଓରେ ବଜ୍ରପାତରୁ ରକ୍ଷା ପାଇବା ପାଇଁ କିଛି ଉପାୟ କୁହାଯାଇଛି । ଯଦି ଖୋଲା ସ୍ଥାନରେ ଥିବା ବେଳେ ବିଜୁଳି ମାରୁଥାଏ ତେବେ ସଙ୍ଗେ ସଙ୍ଗେ ପାଖରେ ଥିବା ଛାତ ଘର ମଧ୍ୟକୁ ଯିବାକୁ ପ୍ରୟାସ କରନ୍ତୁ । ଏହାଦ୍ୱାରା ବଜ୍ରପାତରୁ ଆପଣ ନିଜକୁ ରକ୍ଷା କରି ପାରିବେ ।

– ଯଦି ପାଖରେ କୌଣସି ଛାତ ଘର ନାହିଁ ତେବେ ପାଣି, ବିଜୁଳି ଖମ୍ବ, ଗଛ ଓ ମୋବାଇଲ ଟାୱାର ନିକଟରୁୂ ନିଜକୁ ଦୂରେଇ ରଖନ୍ତୁ ।

– ଏହାବ୍ୟତୀତ ଦୁଇ ଗୋଡ଼କୁ ଯୋଡ଼ି ଭୂମି ଉପରେ ଆଣ୍ଠେଇ ବସି ଯାଆନ୍ତୁ

– ବିଜୁଳି ମାରୁଥିବା ସମୟରେ ଯଦି ଏକାଧିକ ଲୋକ ଥାଆନ୍ତି ତେବେ ପରସ୍ପର ଠାରୁ ଦୂରେଇ ରୁହନ୍ତୁ, ଆଦୌ କାହାର ହାତ ଧରନ୍ତୁ ନାହିଁ

– ଯଦି ପାଖରେ ଛତା ଥାଏ ତେବେ ଏହାକୁ ନିଜ ପାଖରୁ ହଟାଇ ଦିଅନ୍ତୁ । କାରଣ ଛତା ଉପରେ ଅଧିକାଂଶ ସମୟ ବଜ୍ରପାତ ହୋଇଥାଏ

– ଝଡ ତୋଫାନ ସମୟରେ ଶ୍ୱାସ ଜନିତ ସମସ୍ୟା ଥିବା ବ୍ୟକ୍ତି ପଦାକୁ ବାହାରିବା ଅନୁଚିତ ।

– ବିଶେଷ କରି ଆସ୍ଥମା ଥିବା ଲୋକ ମାନେ ଘରୁ ନବାହାରି ଘରର କବାଟ ଝରକା ବନ୍ଦ କରି ଘର ଭିତରେ ରହିବା ଭଲ ହେବ ।

ବଜ୍ରପାତ କଣ : ଆକାଶରେ ଯେତେବେଳେ ବାଦଲ ମଧ୍ୟରେ ଧକ୍କା ହୋଇଥାଏ ସେତେବେଳେ ହଠାତ ଏହା ମଧ୍ୟରୁ ଇଲେକଟ୍ରୋଷ୍ଟେଟିକ ଚାର୍ଜ ବିକରଣ ହୋଇଥାଏ । ଏହା ଖୁବଶୀଘ୍ର ଭୂମି ଆଡ଼କୁ ଆସିଥାଏ । ଏହି ସମୟରେ ଜୋରରେ ଘଡ଼ଘଡ଼ି ଶବ୍ଦ ଶୁଣାଯାଇଥାଏ ଓ ଆକାଶରେ ବିଜୁଳି ଦେଖା ଦେଇଥାଏ । ଆକାଶରେ ହେଉଥିବା ବ୍ରଜପାତ କିଛି ସେକେଣ୍ଡ ପାଇଁ ହୋଇଥାଏ । କିନ୍ତୁ ଏଥିରେ ଏତେ ମାତ୍ରାରେ କରେଣ୍ଟ ଥାଏ ଯେ, ସାଧାରଣ ଲୋକର ଜୀବନ ନେବାକୁ ମଧ୍ୟ ସକ୍ଷମ । ବର୍ଷା ସମୟରେ ହେଉଥିବା ବଜ୍ରପାତ କୌଣସି ନା କୌଣସି ମାଧ୍ୟମରେ ଭୂମି ଉପରକୁ ଆସିଥାଏ । ଏହି ବଜ୍ରପାତ ମଣିଷ କିମ୍ବା ପଶୁ ପକ୍ଷୀ ମାନଙ୍କ ଉପରେ ପଡ଼ିଲେ ମୃତ୍ୟୁ ହୋଇଥାଏ । ତେବେ ଏହି ପ୍ରାକୃତିକ ବିପଯ୍ୟୟରୁ କିଛି ସର୍ତକତା ଅବଲମ୍ବନ କରିବା ସହ ନିଜ ଜୀବନକୁ ରକ୍ଷା କରାଯାଇପାରିବ ।