ନିର୍ଭୟା ଗଣଦୁଷ୍କର୍ମ ମାମଲା : ଇଟାର ବେକ ଏବଂ ବାଲିଅଖାର ଶରୀର ପ୍ରସ୍ତୁତ କରି ଦିଆଗଲା ଫାଶୀ । ଆରମ୍ଭ ହେଲା ଫାଶୀର ପ୍ରସ୍ତୁତି , ଫାଶରେ ଝୁଲିବେ ୪ ସଇତାନ ।

711

ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଫାଶୀରେ ଝୁଲିବେ ନରରାକ୍ଷସ । ମୃତ୍ୟୁର ପରୱାନା ଉପରେ ମୋହର ଲାଗିସାରିଛି । ଦୀର୍ଘ ସାତ ବର୍ଷର ଅପେକ୍ଷାର ଅନ୍ତ ଘଟିବ । ତାରିଖ ବି ସ୍ପଷ୍ଟ । ଖାଲି ଫାଶୀ ଦିନକୁ ଅପେକ୍ଷା । ଆସନ୍ତା ଜାନୁଆରୀ ୨୨ ତାରିଖରେ ସକାଳ ୭ ଟାରେ ଫାଶୀଖୁଣ୍ଟରେ ଝୁଲିବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଫାଶୀ ଦେବାପାଇଁ ତିହାର ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏଥିପାଇଁ ରବିବାର ତିହାର ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଡମି ଫାଶୀ ଅନୁଷ୍ଠିତ ହୋଇଯାଇଛି । ଆଉ ୮ ଦିନ ପରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୁଷ୍କର୍ମକାରୀ ଏହା ପୂର୍ବରୁ ଦିଲ୍ଲୀର ତିହାର ଜେଲରେ ସେଲ ନମ୍ବର ୩ ରେ ଅଭିଯୁକ୍ତ ମୁକେଶ ସିଂ , ବିନୟ ଶର୍ମା, ଅକ୍ଷୟ ଓ ପୱନ ଗୁପ୍ତାକୁ ଫାଶୀ ଦେବା ପାଇଁ ଡମି ପ୍ରସ୍ତୁତ କରାଯାଇଛି । ଏହା ମଧ୍ୟରେ ତିହାର ଜେଲ ପକ୍ଷରୁ ୪ ଜଣ ଦୋଷୀଙ୍କ ବେକର ମାପ ନିଆଯାଇଛି । ଏହି ମାପ ହିସାବରେ ୪ ଜଣ ଦୋଷୀଙ୍କ ପାଇଁ ଫାଶୀର ଦଉଡି ପ୍ରସ୍ତୁତ କରାଯିବ । ଚାରି ଦୋଷୀଙ୍କର ଉଚ୍ଚତା ଓ ଓଜନ ମଧ୍ୟ ମପାଯାଇଛି । ଦୋଷୀଙ୍କର ଏହି ମାପ ପ୍ରକ୍ରିୟା ଚାଲିଥିବାବେଳେ ସେମାନେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ । ପ୍ରଥମେ ମାପ ଅନୁସାରେ ଫାଶୀ ଦଉଡି ପ୍ରସ୍ତୁତ କରାଗଲା , ଏହା ପରେ ଡମିମାନଙ୍କୁ ଫାଶୀ ଦିଆଯାଇଥିଲା । ଫାଶୀ ପାଇବାକୁ ଥିବା ୪ ଦୁଷ୍କର୍ମକାରୀଙ୍କ ଓଜନର ଦେଢ ଗୁଣା ପଥର ଝୁଲା ଯାଇ ଡମି କରାଯାଇଥିଲା । ସେହି ସମୟରେ ପିଡବ୍ଲ୍ୟୁଡି ଇଞ୍ଜିନିୟର , ସୁପରିଣ୍ଟେଣ୍ଡେଣ୍ଟ ଏବଂ ଅନ୍ୟ ଜେଲ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସଫଳତାର ସହିତ ଡମି କରାଯାଇଥିବା କଥା ତିହାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଭାରତ ଇତିହାସରେ ପ୍ରଥମଥର ପାଇଁ ଏକା ସାଙ୍ଗରେ ୪ ଜଣଙ୍କୁ ଫାଶୀ ଦଣ୍ଡାଦେଶ ସଜା ଶୁଣାଯାଇଛି । ଦୋଷୀମାନଙ୍କୁ ଜେଲର ସ୍ୱତନ୍ତ୍ର କୋଠରୀରେ ରଖାଯାଇଛି । ସେମାନଙ୍କ କାର୍ଯ୍ୟାକଳାପ ଉପରେ କଡା ନଜର ରଖାଯାଇଛି । ପ୍ରତିଦିନ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ମାନସିକ ସ୍ଥିତିକୁ ପରଖା ଯାଉଛି । ଏପରିକି କଡା ତତ୍ତ୍ୱବଧାନରେ ଅଭିଯୁକ୍ତମାନେ ସେମାନଙ୍କର ବନ୍ଧୁ , ପରିବାର ସଦସ୍ୟ , ସମ୍ପର୍କୀୟ ତଥା ସାଙ୍ଗମାନଙ୍କୁ ଦେଖା କରୁଛନ୍ତି । ଏହାରି ମଧ୍ୟରେ ଅଭିଯୁକ୍ତମାନଙ୍କ ମୁହଁରେ ଡର ମଧ୍ୟ ଦେଖାଯାଉଛି ।

ଫାଶୀ ପାଇଥିବା ୪ ଜଣ ଦୋଷୀଙ୍କ ମଧ୍ୟରୁ ୨ ଜଣ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ । ଏହାର ଶୁଣାଣି ଆସନ୍ତାକାଲି ହେବ । ଦୋଷୀ ବିନୟ ଶର୍ମା ଏବଂ ମୁକେଶ ସୁପ୍ରିମକୋର୍ଟରେ ଏହି କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି । ୨୦୧୨ ରେ ଦିଲ୍ଲୀର ଏକ ଚଳନ୍ତା ବସରେ ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ୫ ଜଣ ଗଣଦୁଷ୍କର୍ମ କରିବା ସହ ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରି ରାସ୍ତାରେ ଫୋପାଡି ଦେଇଥିଲେ । ଏହାକୁ ନେଇ ସାରା ଦେଶର ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଫାଷ୍ଟଟ୍ରାକ କୋର୍ଟରେ ଏହି ମାମଲାର ବିଚାର ହେବା ପରେ ୫ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଏହାକୁ କାଏମ ରଖିଥିଲେ । ୫ ଜଣ ଦୋଷୀଙ୍କ ମଧ୍ୟରୁ ଜଣେ ଦୋଷୀ ରାମ ସିଂହ ୨୦୧୩ ମସିହାରେ ଆତ୍ମହତ୍ୟା କରିସାରିଛି ।