ବିଲରେ ବୁଲିଲେ କୁକୁଡ଼ା : କୁକୁଡ଼ା ଖାଇଲେ କରୋନା ହେବ ଅପପ୍ରଚାର ପରେ ବିଲରେ ୫ ହଜାର କୁକୁଡ଼ା ଛାଡିଲେ ଚାଷୀ । 

1,484

କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ଡିଏମଇଟି କହିଥିଲେ ଯେ କୁକୁଡା ଖାଇଲେ କରୋନା ବ୍ୟାପିବ ନାହିଁ , ହେଲେ ଲୋକଙ୍କ ଭିତରେ କରୋନାକୁ ନେଇ ଥିବା ଭୟ ଯୋଗୁଁ  କୁକୁଡାଙ୍କୁ ବିଲରେ ଛାଡି ଦେବା ପାଇଁ ବାଧ୍ୟ ହୋଇଛନ୍ତି ଚାଷୀ । କୁକୁଡା ଫାର୍ମ ଖାଲି ହୋଇଯାଇଛି ଓ ବିଲରେ କୁକୁଡା ବୁଲୁଛନ୍ତି । କଟକ ଟାଙ୍ଗୀ ଅଂଚଳର ନପଙ୍ଗ ପଂଚାୟତ ଇଟୁଆ ଗାଁରୁ ଆସିଛି କିଛି ଏଭଳି ଚିତ୍ର ।

କୁକୁଡା ଖାଇଲେ କରୋନା ବ୍ୟାପିବାର ଅପପ୍ରଚାର ପରେ ୫ ହଜାର କୁକୁଡା ରଖିଥିବା ୪ ଟି ଫାର୍ମ ମାଲିକ କୁକୁଡା ଫାର୍ମକୁ ଖାଲି କରିଦେଇଛନ୍ତି । ଆଉ ହଜାର ହଜାର କୁକୁଡା ବିଲରେ ବୁଲୁଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ଆମ ପ୍ରତିନିଧି ସତ ପରଖିବାକୁ ପହଁଚିବା ବେଳକୁ ବହୁ ସଂଖ୍ୟାରେ କୁକୁଡାଗୁଡିକୁ ଗାଁ ଲୋକେ ବୋହି ନେଇ ସାରିଥିଲେ । ଆଉ ବିଲରେ ବୁଲୁଥିବା କୁକୁଡା ସବୁକୁ ଧରିବାକୁ ଆଉ କିଛି ଲୋକ ଚେଷ୍ଟା କରୁଥିଲେ । କୁକୁଡା ଖାଇଲେ କରୋନା ବ୍ୟାପିବ ବୋଲି ଅପ୍ରଚାର ହେବା ପରେ ଭୁଷୁଡି ଯାଇଛି କୁକୁଡା ଚାଷ । ରୋଜଗାର ହରାଉଛନ୍ତି କୁକୁଡା ଚାଷୀ ଓ ବ୍ୟବସାୟୀ । ତେବେ ପ୍ରାଣୀ ଓ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ବି କହିଛନ୍ତି ଯେ କୁକୁଡା ମାଂସ ଖାଇଲେ କରୋନା ବ୍ୟାପିବା ଏକ ଅପପ୍ରଚାର ଓ ଏହା ଦ୍ୱାରା କୁକୁଡା ବ୍ୟବସାୟୀ ଅଯଥାରେ କ୍ଷତି ସହୁଛନ୍ତି ।