କରୋନା ପରେ ଚୀନରେ ବ୍ୟାପିଲା ‘ବ୍ରୁସିଲେସିସ୍ ଭୁତାଣୁ’ : ୬ ହଜାରରୁ ଅଧିକ ଲୋକ ହେଲେଣି ସଂକ୍ରମିତ । ଜାଣନ୍ତୁ କେମିତି ବ୍ୟାପୁଛି ଏହି ଭୁତାଣୁ ,କ’ଣ ରହିଛି ଏହାର ଲକ୍ଷଣ ଏବଂ କେମିତି କରିବେ ଏହାର ମୁକାବିଲା

7,770

ସମ୍ପୁର୍ଣ୍ଣ ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା କରୋନା ଭାଇରସର ପ୍ରଭାବରୁ ଲୋକ କିଛି ମାତ୍ରାରେ ଆଶ୍ୱସ୍ତି ପାଇଥିବା ବେଳେ ଏବେ ପୁଣି ଆଉ ଗୋଟିଏ ଭାଇରସ୍ ଚୀନରେ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍ ପାଖାପାଖି ୬ ହଜାରରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିସାରିଲାଣି । ଭୁତାଣୁ ବ୍ୟାପିବା ଭୟରେ ୫୫ ହଜାରରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସାରିଲେଣି ଚୀନ୍ ସରକାର । “ବ୍ରୁସିଲେସିସ୍ ଭାଇରସ୍” କୁହାଯାଉଥିବା ଏହି ଭୁତାଣୁ ମାତ୍ର ୨ ମାସ ଭିତରେ ଦୁଇଗୁଣ ବଢିଥିବା ସୂଚନା ମିଳୁଛି । ଚୀନର ଗାଁସୁ ପ୍ରାନ୍ତର ରାଜଧାନୀ ଲାଞ୍ଚୋର ସ୍ୱାସ୍ଥ୍ୟବିଭାଗ ଏହି ଭୁତାଣୁ ବ୍ୟାପୁଥିବା ନେଇ ପ୍ରଥମେ ସୂଚନା ଦେଇଥିଲେ । ବ୍ରୁସିଲେସିସ୍ ଭାଇରସ୍ କୁ “ମାଲ୍ଟା ଫିବର୍” ବୋଲି ମଧ୍ୟ କୁହାଯାଉଛି । ଏହା ଏକପ୍ରକାର ଜୁନୋଟିକ୍ ବ୍ୟାକ୍ଟେରିଆ ସଂକ୍ରମଣ ବୋଲି ସୂଚନା ମିଳୁଛି ।

କେମିତି ସଂକ୍ରମଣ ହୁଏ ବ୍ରୁସିଲେସିସ୍ ଭାଇରସ୍ ?
ଚୀନରେ ବ୍ରୁସିଲେସିସ୍ ଭୁତାଣୁ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ , ସଂକ୍ରମିତ ପଶୁଙ୍କ ସମ୍ପର୍କରେ ଆସିଲେ , କ୍ଷୀରଜାତୀୟ ଦ୍ରବ୍ୟ କିମ୍ବା ବାୟୁ ଜରିଆରେ ମଧ୍ୟ ଏହି ଭୁତାଣୁ ସଂକ୍ରମିତ ହୋଇଥାଏ । ଏକ ବାୟୋଫାର୍ମାସ୍କ୍ୟୁଟିକଲ୍ କମ୍ପାନୀରୁ ନିର୍ଗତ ଦୂଷିତ ବାୟୁରୁ ଏହି ଭାଇରସ୍ ଚୀନରେ ବ୍ୟାପଥିବା ସୂଚନା ମିଳୁଛି ।

ବ୍ରୁସିଲେସିସ୍ ଭାଇରସର ଲକ୍ଷଣ କ’ଣ ?

ଜ୍ୱର ଏବଂ ମୁଣ୍ଡବ୍ୟଥା

ମାଂସପେଶୀରେ ଯନ୍ତ୍ରଣା

ଥକ୍କାପଣ ତଥା ଦୁର୍ବଳ ଅନୁଭବ କରିବା

ଗଣ୍ଠିରେ ବ୍ୟଥା ଆଦି ହେଉଛି ଏହି ଭୁତାଣୁର ଲକ୍ଷଣ ।

ଭୁତାଣୁରୁ ବଂଚିବେ କେମିତି?

ସାବଧାନତା ଏବଂ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେଲେ ଭୁତାଣୁର ଭୟ ରହିବ ନାହିଁ । ଯେଉଁ ଅଞ୍ଚଳରେ ଏହି ଭୁତାଣୁ ବ୍ୟାପିଛି ସେଠାକାର ପଶୁଙ୍କ ସଂପର୍କରେ ଆସିବା କ୍ଷଣି ସାନିଟାଇଜ୍ ହେବା ନିତାନ୍ତ ଜରୁରୀ । ସଂକ୍ରମିତ ପଶୁଙ୍କ ଦୁଗ୍ଧ ସେବନକୁ ବାରଣ କରିବା ଆବଶ୍ୟକ । କଞ୍ଚା କ୍ଷୀରର ସେବନ ନକରି କ୍ଷୀର ଫୁଟାଇ ପିଇବାକୁ ଚେଷ୍ଟା କରନ୍ତୁ । ଘରେ ଗୃହପାଳିତ ପଶୁ ଥିଲେ କିମ୍ବା ନୂଆ କରି ପଶୁ ଆଣିଲେ ପ୍ରଥମେ ବ୍ରୁସିଲେସିସ୍ ଟେଷ୍ଟ୍ କରାଇନିଅନ୍ତୁ । ଯଥାସମ୍ଭବ ପଶୁଙ୍କ ଠାରୁ ଶାରୀରିକ ଦୂରତା ରଖନ୍ତୁ ଏବଂ ବ୍ରୁସିଲେସିସ୍ ଭୁତାଣୁରୁ ନିଜକୁ ଦୂରେଇ ରଖନ୍ତୁ ।