ଅଧ ରାତିରେ ମାଡି ଆସିଥିଲା ଆତଙ୍କ । ଭୟଙ୍କର ପବନରେ ଛାରଖାର ହୋଇଥିଲା ସବୁକିଛି । ୨୧ ବର୍ଷ ପରେ ବି ମନରୁ ଲିଭୁନି ମହାବାତ୍ୟାର ଲୋମଟାଙ୍କୁରା କାହାଣୀ…

508

କନକ ବ୍ୟୁରୋ: ଅକ୍ଟୋବର ଆସିଲେ ଆତଙ୍କିତ ହୁଏ ମନ, ଛାତିରେ ପଶେ ଛନକା । ଦିନ ସିନା ଯାଇଛି କିନ୍ତୁ ଏବେବି ସେ ଚିହ୍ନ ରହିଛି, ଦରଜ ରହିଛି । ଆଉ ସେ କାଳ ରାତିର କରୁଣ କାହାଣୀ ଏବେ ବି ମନେ ପଡିଗଲେ, ଭୟଙ୍କର ରାତିର ବିକଟାଲ ରୂପ ଆଖି ସାମ୍ନାରେ ନାଚିଗଲେ ଥରିଉଠେ ଛାତି, ଟାଙ୍କୁରି ଉଠେ ଲୋମ । ଆଜିକୁ ଠିକ ୨୧ ବର୍ଷ ତଳେ ଏବ ବଡ ବିପଦକୁ ସାମ୍ନା କରିଥିଲା ଓଡିଶା । ମୃତ୍ୟୁ ଭଳି ମାଡି ଆସିଥିବା ମହାବାତ୍ୟା ସହ ମୁହାଁମୁହିଁ ହୋଇଥିଲେ ଓଡିଶାବାସୀ ।

୨୯ ଅକ୍ଟୋବର ୧୯୯୯ । ଠିକ ୨୧ ବର୍ଷ ତଳେ ଆଜିର ଦିନରେ ଆସିଥିଲା ଓଡିଶା ଇତିହାସର ସବୁଠୁ ପ୍ରଳୟଙ୍କରୀ ବାତ୍ୟା । ଅବିଶ୍ରାନ୍ତ ବର୍ଷା, ସୁ ସୁ ପବନ । ହଠାତ ଆକାଶରେ ଘୋଟି ଆସିଥିଲା ଆତଙ୍କର ବାଦଲ । ଦିନକ ପୂର୍ବରୁ ସ୍ୱାଭାବିକ ଥିଲା ପାଗ । କିନ୍ତୁ ଅଚାନକ ବଦଳିଗଲା ସବୁକିଛି । ମେଘ ମାଡି ଆସିଲା, ପବନ ବୋହିବାକୁ ଲାଗିଲା । ମଝି ସମୁଦ୍ରରୁ ଗର୍ଜନ ଛାଡି ସ୍ଥଳ ଭାଗକୁ ମାଡି ଆସିଥିବା ମହାବାତ୍ୟା ସବୁକିଛି ଛାରଖାର କରିଦେଲା । ବଡ ବଡ ଗଛ ଭାଙ୍ଗି ପକାଇଲା, ଘରଦ୍ୱାର ସବୁ ଭସାଇ ନେଲା । ୨ ମହଲା ଉଚ୍ଚରେ ଉଠିଥିବା ଜୁଆରରେ ଜନଜୀବନ ଲିନ ହେଉଥିଲା । ଆଉ ମହାବାତ୍ୟା ତାର ମହାତାଣ୍ଡବ ରଚି ଚାଲିଥିଲା ।

ଓଡିଶା ଉପକୂଳର ୪ ଜିଲ୍ଲାରେ ଧ୍ୱଂସର ତାଣ୍ଡବଲୀଳା ରଚିଥିଲା ସୁପର ସାଇକ୍ଲୋନ । ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ବାଲେଶ୍ୱରରେ ବିଧ୍ୱଂସଲୀଳା ରଚିଥିଲେ ହେଁ ଅଧିକ କ୍ଷୟକ୍ଷତି ହୋଇଥିଲା ଜଗତସିଂହପୁର ଜିଲ୍ଲା ଏରସମାରେ । ବାତ୍ୟା ପାଟିରେ ଅନେକ ଜୀବନ ଯାଇଥିବା ବେଳେ ଅନେକ ଧନଜୀବନ ନଷ୍ଟ ହୋଇଥିଲା । ମହାବାତ୍ୟାରେ ପ୍ରାୟ ୩ ଲକ୍ଷ ଘର ଭାଙ୍ଗିଯାଇଥିଲା, ଅନେକ ଗାଁ ଛାରଖାର ହୋଇଥିଲା  । ୨ ଲକ୍ଷରୁ ଅଧିକ ପଶୁ ପକ୍ଷୀଙ୍କ ମୃତ୍ୟୁ ହୋଇଥିଲା, ୨୫ ଲକ୍ଷ ଲୋକ ସର୍ବସ୍ୱାନ୍ତ ହୋଇଥିଲେ ଆଉ ୧୦ ହଜାରରୁ ଅଧିକ ଜୀବନ ଯାଇଥିଲା ।

ତେବେ ବାତ୍ୟାର ପ୍ରକୋପ ଟିକେ କମିବା ପରେ ବଢିଥିଲା ଜଳ ଯନ୍ତ୍ରଣା । ବଢି ପାଣିରୁ ବଞ୍ଚିବାକୁ କିଏ ଜୀବନ ନେଇ ଧାଇଁଥିଲା ତ କିଏ ପିଲାଛୁଆ ନେଇ ଉଚ୍ଚା ସ୍ଥାନକୁ ଦୌଡିଥିଲା । ହେଲେ ପାଣିର ପ୍ରଖର ସୁଅରୁ ବର୍ତ୍ତିବା ଏତେ ସହଜ ନଥିଲା । ବନ୍ୟାରେ ଯେଉଁମାନେ ଭାସି ଯାଇଥିଲେ ସେମାନଙ୍କ ପତା ମିଳି ନଥିଲା । କିନ୍ତୁ ଯେଉଁମାନେ କ୍ଷଣିକରେ ବଞ୍ଚି ଯାଇଥିଲେ ସେମାନେ ଦେଖିଥିଲେ ମହାବାତ୍ୟାର ମହାରୂପକୁ । ସେମାନେ ଦେଖିଥିଲେ ଗୋଟେ ଗୋଟେ ଗାଁ ଶ୍ମଶାନ ହୋଇଯିବାର, ବନ୍ୟା ପାଣିରେ କୁଢ କୁଢର ଶବ ଭାସି ଯାଉଥିବାର । ଆଉ ୨୧ ବର୍ଷ ପରେ ମହାପ୍ରଳୟର ସେ ମୁହୂର୍ତ୍ତ ଆଜି ବି ମନରୁ ଲିଭୁନି ।