ବିବନ କହିଲା କାଳ ରାତିର କାହାଣୀ : ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କଲା ସିବିଆଇ

କାରରେ ଅପହରଣ କରିବାଠୁ ଆରମ୍ଭ କରି ଲୋମ ଟାଙ୍କୁରା ଅପରାଧ ଘଟାଇବା ଯାଏଁ; ସବୁ କିଛି ଗୋଟି ଗୋଟି କରି କହିଲା ମୁଖ୍ୟ ଅଭିଯୁକ୍ତ

1,926

କନକ ବ୍ୟୁରୋ : ବିବନ କହିଲା କାଳ ରାତିର କାହାଣୀ । ବାରଙ୍ଗରେ ଘଟଣାସ୍ଥଳକୁ ନେଇ ସିନ୍-ରିକ୍ରିଏସନ୍ କଲା ସିବିଆଇ । କାରରେ ଅପହରଣ କରିବାଠୁ ଆରମ୍ଭ କରି ଲୋମ ଟାଙ୍କୁରା ଅପରାଧ ଘଟାଇବା ଯାଏଁ ସବୁ କିଛି ଗୋଟି ଗୋଟି କରି କହିଛି ଗଣଦୁଷ୍କର୍ମ ମାମଲା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ।

୨୨ ବର୍ଷ ତଳର ଗଣଦୁଷ୍କର୍ମ ଘଟଣାର ଖୋଳତାଡ କରୁଛି ସିବିଆଇ । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ୨ ଦିନିଆ ରିମାଣ୍ଡରେ ନେଇ ଅଧିକ ତଥ୍ୟ ପାଇଁ ଜେରା କରୁଛନ୍ତି ତଦନ୍ତକାରୀ ଅଧିକାରୀ । ଆଜି ରିମାଣ୍ଡର ଦ୍ୱିତୀୟ ଦିନରେ ବିବନକୁ ବାରଙ୍ଗ ନେଇଥିଲା ସିବିଆଇ । ସେଠାରେ ପୀଡିତାଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣାର ସିନ୍ ରି-କ୍ରିଏସନ କରାଯାଇଛି । ବାରଙ୍ଗରେ ୨୨ ବର୍ଷ ତଳେ କଣ ଘଟିଥିଲା. କେମିତି ଏହି ଜଘନ୍ୟ କାଣ୍ଡ କରିଥିଲା ବିବନ । କେମିତି, କେଉଁ ରାସ୍ତା ଦେଇ ପୀଡିତାଙ୍କୁ ବିବନ ନେଇ ଯାଇଥିଲା, ତାହା ସିବିଆଇକୁ ଦେଖାଇଛି ନିଜେ ବିବନ । ଗତକାଲିଠୁ ସେ ସିବିଆଇର ରିମାଣ୍ଡରେ ଅଛି । ଝାରପଡା ଜେଲରେ ଟିଆଇ ପରେଡ ସରିବା ପରେ ତାକୁ ରିମାଣ୍ଡରେ ନେଇଛି ସିବିଆଇ ।

ସୂଚନା ଅନୁଯାୟୀ, ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ ବାରଙ୍ଗ ଥାନା ଅଞ୍ଚଳ‌ରେ ଘଟିଥିଲା ଏହି ଗଣଦୁର୍ଷ୍କମ ଘଟଣା । ପୀଡ଼ିତା ଜଣକ ଏକ ଆମ୍ବାସଡର କାରରେ ନିଜ ବନ୍ଧୁଙ୍କ ସହ ଏକ ଢ଼ା‌ବା‌ରେ ଚା’ ପିଇବା ସମୟରେ ତାଙ୍କୁ  ତିନି ଜଣ ଅଭିଯୁକ୍ତ ସେଠାରେ ଦେଖିଥିଲେ । ପରେ ପୀଡ଼ିତା ତାଙ୍କ କାରରେ ଭୁବନେଶ୍ବର ବାହାରିବା ସମୟରେ ଅଭିଯୁକ୍ତମାନେ ଉକ୍ତ କାରଟିକୁ ଅଟକାଇ ‌ତାଙ୍କ ବନ୍ଧୁଙ୍କୁ ମାଡ଼ମାରି ପୀଡ଼ିତାଙ୍କୁ ନିଜ ସାଥୀରେ ନେଇ ଯାଇଥିଲେ । ବେଲଗାଛିଆ ମହଲା ପାଖ ଓ ଭାଲୁକା ଜଙ୍ଗଲରେ ପୀଡ଼ିତାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ପ୍ରାୟ ତିନି ଚାରି ଘଣ୍ଟା ଧରି ପୀଡ଼ିତାଙ୍କ ସହ ଅପରାଧୀମାନେ ଏହି ଜଘନ୍ୟ କାଣ୍ତ ଘଟଣାଇଥିଲେ । ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।