କନକ ବ୍ୟୁରୋ: ରାଜ୍ୟ ବଜେଟରେ ସ୍ୱାସ୍ଥ୍ୟ ବିଭାଗକୁ ୧୯ ହଜାର ୭୨୯ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ସ୍ୱାସ୍ଥ୍ୟ ବିଭାଗକୁ ଗୁରୁତ୍ୱ ଦେବା ସହିତ ରାଜ୍ୟ ସରକାର ଚଳିତ ବର୍ଷର ବଜେଟରେ ଏହି ଅର୍ଥ ବ୍ୟୟ ବରାଦ କରିଛନ୍ତି ।
ଅର୍ଥମନ୍ତ୍ରୀଙ୍କ କହିବା ମୁତାବକ, ବିଗତ ଦୁଇ ଦଶନ୍ଧି ମଧ୍ୟରେ ଓଡିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଆସିଛି । ୨୦୦୦ ମସିହାରେ ଖରାପ ସ୍ୱାସ୍ଥ୍ୟ ସୂଚକାଙ୍କ ପାଇଁ ପରିଚିତ ଓଡିଶା ୨୦୦୫ରୁ ୨୦୨୦ ମଧ୍ୟରେ ଶିଶୁ ମୃତ୍ୟୁ ହାର ସର୍ବାଧିକ ହ୍ରାସ କରି ଦେଶରେ ସଫଳ ରାଜ୍ୟ ଭାବେ ଉଭା ହେଇଛି । ତେବେ ଏଥର ରାଜ୍ୟ ବଜେଟରେ ସରକାର ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେଇଛନ୍ତି ।
ତେବେ ଆଗାମୀ ୫ ବର୍ଷରେ ୩ ହଜାର ୩୮୯ କୋଟି ଟଙ୍କାରେ ରାଜ୍ୟର ୧୮୫୮ଟି ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ କରାଯିବ । ତା ସହିତ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି, ରୋଗୀଙ୍କ ପାଇଁ ମୌଳିକ ସୁବିଧା ଓ ସେବା ପାଇଁ ଚଳିତ ଆର୍ଥିକ ବର୍ଷରେ ୧ ହଜାର ୩୧୪ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେପଟେ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇଁ ଚଳିତ ଆର୍ଥିକ ବର୍ଷରେ ୫୪୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ବୋଲି ବିଧାନସଭାରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ଓଡିଶା ବର୍ତ୍ତମାନ ୧ ଶହ ବିଲିୟନ୍ ଡଲାରରୁ ଅଧିକ ଅର୍ଥନୀତିରେ ପରିଣତ ହେଇଛି । ୨୦୧୫-୧୬ ବର୍ଷଠାରୁ ରାଜ୍ୟର ହାରାହାରି ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି, ଯାହାକି ଜାତୀୟ ଅର୍ଥନୀତିର ହାରାହାରି ଅଭିବୃଦ୍ଧିଠାରୁ ୧ ପ୍ରତିଶତ ଅଧିକ ବୋଲି ଅର୍ଥମନ୍ତ୍ରୀ ବଜେଟ୍ ଆଗତ ବେଳେ ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/02/13-6.jpg)