୧୯୬୨ ମସିହାରେ ଚୀନ୍-ଭାରତ ଯୁଦ୍ଧରେ ସହିଦ୍ ହୋଇଥିବା ଯବାନଙ୍କ ବୀରାଙ୍ଗନା ପତ୍ନୀମାନଙ୍କ କ୍ରୋଧ : ସରକାରଙ୍କୁ କହିଲେ , ଚୀନ୍ ସେନାର ଚାଲାକିକୁ ଉଚିତ୍ ଜବାବର ଚଟକଣି ଦରକାର ।

887

ଚୀନ୍ ଏବଂ ଭାରତ ସେନା ଭିତରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ୨୦ ଯବାନ ସହିଦ୍ ହୋଇଗଲେ । ଯାହାର ଦୁଃଖ ସାରା ଦେଶର ଆତ୍ମାକୁ ଦୋହଲାଇ ଦେଇଛି । ଏହି ଘଡିରେ ୧୯୬୨ ମସିହାରେ ଚୀନ୍ ସହ ଯୁଦ୍ଧରେ ସହିଦ୍ ହୋଇଥିବା ଯବାନଙ୍କ ବୀରାଙ୍ଗନା ପତ୍ନୀମାନଙ୍କ ଶୋକ ପୁଣି ସତେଜ ହୋଇଯାଇଛି । ୧୯୬୨ ରେ ଚୀନ୍ ଛଳରେ ଭାରତ ସେନା ଉପରେ ଆକ୍ରମଣ କରିଥିଲା ଆଉ ଏଥର ବି ଚୀନର ଚକ୍ରାନ୍ତ ୨୦ ଯବାନଙ୍କ ଜୀବନ ନେଇଗଲା । ବୀରାଙ୍ଗନା ପତ୍ନୀମାନଙ୍କ ବୟସ ଏବେ ମଳିନ ପଡିଗଲାଣି କିନ୍ତୁ ଛାତିରେ ଏବେବି ଅସହ୍ୟ ଯନ୍ତ୍ରଣା ଏବଂ ଚୀନ୍ ପ୍ରତି କ୍ରୋଧର ନିଆଁ ଜଳୁଛି । ଏହି ସହିଦଙ୍କ ପତ୍ନୀମାନେ ସରକାରଙ୍କୁ ଚୀନ୍ ବିରୁଦ୍ଧରେ ମୁହଁଭଙ୍ଗା ଜବାବ୍ ଦେବାକୁ କହିଛନ୍ତି । ସେହି ସମୟରେ ମଧ୍ୟପ୍ରଦେଶର ୧୮ ଜଣ ଯବାନ ସହିଦ୍ ହୋଇଥିଲେ ।

୨୧ ଅକ୍ଟୋବର ୧୯୬୨ ରେ ସହିଦ୍ ହୋଇଥିବା ଯବାନ ଅତିବଲ୍ ସିଂହ କୁସବାହଙ୍କ ଧର୍ମପତ୍ନୀ ଶାନ୍ତିଦେବୀ କୁହନ୍ତି , ସେତେବେଳର ଯୁଦ୍ଧ ଆଉ ଏବେକାର ଯୁଦ୍ଧ ମଧ୍ୟରେ ଆକାଶପାତାଳ ଫରକ ରହିଛି । ସେତେବେଳେ ଯବାନଙ୍କ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ରହିଥିଲା କିନ୍ତୁ ଏବେ ଅତ୍ୟାଧୁନିକ ଅସ୍ତ୍ର ରହିଛି । ଚୀନକୁ ଏହାର ଉଚିତ୍ ଯବାବ୍ ମିଳିବା ଦରକାର । ଆଉ ଜଣେ ସହିଦ୍ ଯବାନ ସାମନ୍ତ ସିଂହଙ୍କ ୮୨ ବର୍ଷୀୟା ପତ୍ନୀ କମଳାଦେବୀ କୁହନ୍ତି , ଚୀନ୍ ଆଗରୁ ଧୋକାବାଜ୍ ଥିଲା ଏବେ ବି ତା’ ପ୍ରକୃତି ବଦଳିନି । ଚୀନକୁ ଯେସାକୁ ତେସା ଯବାବ୍ ନଦେଲେ ଆମ ବୀର ଯବାନଙ୍କ ଅମରଆତ୍ମା ଶାନ୍ତି ପାଇବ ନାହିଁ ।

ସେହିଭଳି ୮୫ ବର୍ଷୀୟା ପ୍ରେମାଦେବୀ କୁହନ୍ତି ସହିଦ୍ ସ୍ୱାମୀ ପରମାଲ୍ ସିଂହଙ୍କ ଶେଷଦର୍ଶନ ମଧ୍ୟ ସେ କରିପାରିନଥିଲେ । ସ୍ୱାମୀଙ୍କ ସହିଦ୍ ହେବା ଖବରକୁ ସେ କିଛି ବର୍ଷ ପର୍ଯ୍ୟନ୍ତ ଗ୍ରହଣ କରିପାରିନଥିଲେ । ସେତେବେଳେ ଚୀନ୍ ଗୁଳି,ବାରୁଦ ବ୍ୟବହାର କରିଥିଲା ଏବେ ପଥର,କଣ୍ଟାବାଡ଼ି ବ୍ୟବହାର କରୁଛି । ଚୀନକୁ ଉଚିତ୍ ଜବାବର ଚଟକଣି ଦିଅନ୍ତୁ ସରକାର ।