ରାଜସ୍ଥାନର କୋଟା, ଜୋଧପୁର ଏବଂ ବିକାନେରରେ ଶିଶୁ ମୃତ୍ୟୁ ଘଟଣା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ଭିତରେ ଗୁଜରାଟରେ ପ୍ରତିକୂଳ ସ୍ଥିତି ଦେଖିବାକୁ ମିଳିଛି । ଗୁଜୁରାଟର ରାଜକୋଟ ଏବଂ ଅହମ୍ମଦାବାଦରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ଦୁଇଟି ସହରରେ ଗତ ଏକମାସ ମଧ୍ୟରେ ୧୯୬ ଶିଶୁଙ୍କ ମୃତ୍ୟୁ ଘଟିଛି । ଡିସେମ୍ବରରେ ରାଜକୋଟସ୍ଥିତ ସିଭିଲ ହସ୍ପିଟାଲରେ ୧୧୧ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ଅହମ୍ମଦାବାଦରେ ୮୫ ଶିଶୁଙ୍କ ଜୀବନ ଯାଇଛି । ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ କରିବା ପରେ ସେ ଚୁପ୍ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ହସ୍ପିଟାଲରେ ଏନଆଇସିୟୁରେ ଅଢ଼େଇ କିଲୋଗ୍ରାମରୁ କମ୍ ଓଜନର ପିଲାମାନଙ୍କୁ ଚିକିତ୍ସା କରିବାର ସୁବିଧା ନାହିଁ। ରାଜକୋଟ ସିଭିଲ ହସ୍ପିଟାଲର ଡିନ୍ ମନୀଷ ମେହଟ୍ଟା କହିଛନ୍ତି, ଗତ ଡିସେମ୍ବରରେ ହସ୍ପିଟାଲରେ ୧୧୧ ଶିଶୁଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ପିଲାଙ୍କ ମୃତ୍ୟୁ ସମ୍ପର୍କରେ ଯେତେବେଳେ ପଚରାଗଲା ସେ କୌଣସି ଉତ୍ତର ନ ଦେଇ ସେଠାରୁ ଚାଲିଯାଇଥିଲେ।
ସେହିପରି ଅହମ୍ମଦାବାଦସ୍ଥିତ ସରକାରୀ ହସ୍ପିଟାଲର ଅଧୀକ୍ଷକ ଜି.ଏନ. ରାଠୋର କହିଛନ୍ତି, ହସ୍ପିଟାଲରେ ଗତ ଡିସେମ୍ବରରେ ୪୫୫ ଶିଶୁଙ୍କୁ ଏନଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୮୫ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ରାଜସ୍ଥାନର କୋଟାର ଜେ.କେ. ଲୋନ ହସ୍ପିଟାଲ ସମେତ ଜୋଧପୁର ଏବଂ ବିକାନେରସ୍ଥିତ ହସ୍ପିଟାଲରେ ଶିଶୁ ମୃତ୍ୟୁ ଘଟଣା ଜାରି ରହିଛି । ଉତ୍ତର ଚିକିତ୍ସା ଏବଂ ସୁବିଧାର ଅଭାବ ଯୋଗୁଁ ଜୋଧପୁରର ଡ. ସମ୍ପୂର୍ଣ୍ଣାନନ୍ଦ ମେଡିକାଲ କଲେଜରେ ଗତ ମାସକ ମଧ୍ୟରେ ୧୦୨ ନବଜାତ ଶିଶୁଙ୍କ ସମେତ ମୋଟ ୧୪୬ ଶିଶୁଙ୍କ ମୃତ୍ୟୁ ଘଟିଛି । ସେହିପରି କୋଟାରେ ୧୧୦, ବିକାନେରରେ ୧୬୨ ଏବଂ ବୁନ୍ଦୀରେ ୧୦ ଶିଶୁଙ୍କ ଜୀବନ ଚାଲିଗଲାଣି । ଜୋଧପୁର ହେଉଛି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିଜ ଜିଲ୍ଲା ହୋଇଥିବାବେଳେ ସେ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।
  
 Follow Us
                            
                        
                            
                            /kanak/media/post_attachments/wp-content/uploads/2020/01/sakshipost-hindi_2020-01_7df5d473-4f57-4b9b-9651-b5d88ad06637_S-300x168.jpg)