୧୯୩୩ ମସିହା ଟାଟା ଏୟାରଲାଇନ୍ସର ପ୍ରଥମ ବ୍ୟବସାୟିକ ବର୍ଷ: ମାତ୍ର ୨ଟି ବିମାନରୁ ଆରମ୍ଭ ହୋଇଥିଲା ବିମାନ ଉଡାଣ ବ୍ୟବସାୟ

177

କନକ ବ୍ୟୁରୋ: ବର୍ତମାନ ସବୁଠି ଗୋଟିଏ ଚର୍ଚା । ଟାଟା ହାତକୁ ଗଲା ଏୟାରଇଣ୍ଡିଆ । ଆସନ୍ତୁ ଜାଣିବା ପ୍ରଥମେ କେମିତି ଜନ୍ମ ନେଇଥିଲା ଏହି ଏୟାରଲାଇନ୍ସ । ଆଉ ଟାଟା ଏୟାରଲାଇନ୍ସରୁ ଏୟାରଇଣ୍ଡିଆ ହେବାର କଣ ରହିଛି କାହାଣୀ । ଜଣେ ୧୫ ବର୍ଷୀୟ କିଶୋରଙ୍କ ବିମାନ ଉଡାଇବାର ସୌକ କେମିତି ଜନ୍ମ ଦେଇଥିଲା ଗୋଟିଏ ବିମାନ ଉଡାଣ କମ୍ପାନୀକୁ । ଆଗରେ ଥିଲା ହଜାରେ ବାଧା । ତାକୁ ପାର କରି ସେଦିନ ଦେଖିଥିବା ସ୍ୱପ୍ନକୁ କେମିତି ସାକାର କରିଥିଲେ ଜେଆରଡି ଟାଟା ।

୧୯୩୨ରେ ଏୟାରଇଣ୍ଡିଆର ପ୍ରକୃତ ଜନ୍ମ । ଏହା ତ ସମସ୍ତେ ଜାଣନ୍ତି । ସେତେବେଳେ ଏହାର ସ୍ଥାପନ କରିଥିଲେ ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟା ଓରଫ ଜେଆରଡି ଟାଟା ।
ସେତେବେଳେ ଏହାର ନାଁ ନଥିଲା ଏୟାର ଇଣ୍ଡିଆ
ସେତେବେଳେ ଏହା ଥିଲା ଟାଟା ଏୟାରଲାଇନ୍ସ
ଜେଆରଡି ଟାଟାଙ୍କ ବିମାନ ଉଡାଇବା ନେଇ ରହିଥିଲା ବଡ ସୌକ । ଏହା କିଶୋର ବୟସରୁ ରହିଥିଲା । ୧୯୧୯ ମସିହାର କଥା । ପ୍ରଥମ ଥର ବିମାନ ଉଡାଇବାକୁ ଇଛା କରିଥିଲେ ଜେଆରଡି ଟାଟା । ଆଉ ଏହାକୁ ପୂରଣ ବି କରିଥିଲେ । ସେତେବେଳକୁ ତାଙ୍କୁ ବୟସ ହୋଇଥିଲା ମାତ୍ର ୧୫ ବର୍ଷ । ଆପଣ ଚିନ୍ତା କଲେ ଜଣେ ୧୫ ବର୍ଷୀୟ କିଶୋରଙ୍କୁ କଣ ବିମାନ ଉଡାଣ ନେଇ କେହି ଅନୁମତି ଦେବ । ହେଲେ ସଫଳ ଉଡାଣ ପରେ ପରେ ସେ ନିଜର ପାଇଲଟ ଲାଇସନ୍ସ ହାସଲ କରିଥିଲେ ।

– ୧୯୧୯ ଅକ୍ଟୋବର ୧୫ , ଜେଆରଡି ଟାଟା ପ୍ରଥମ ଥର ପାଇଁ କଲେ ବ୍ୟବସାୟିକ ଉଡାଣ
– ଗୋଟିଏ ଇଂଜିନ ବିଶିଷ୍ଟ ହେଭିଲ୍ୟାଣ୍ଡ ପସ ମୋଥ ବିମାନ ଉଡାଇଥିଲେ
– କରାଚିରୁ ଅହମ୍ମଦାବାଦ ଦେଇ ମୁମ୍ୱାଇ ଆଣିଥିଲେ ବିମାନ
– ସେତେବେଳେ ବିମାନରେ କୌଣସି ଯାତ୍ରୀ ନଥିଲେ
– କରାଚୀରୁ ମୁମ୍ୱାଇକୁ ଆଣିଥିଲେ ୨୫ କେଜିର ଚିଠି
– ବ୍ରିଟିଶ କାଳରେ ଇମ୍ପେରିଆଲ୍ ଏୟାରୱେଜ ଜରିଆରେ କରାଚୀ ଆସୁଥିଲା ଚିଠି
– କରାଚୀରୁ ଜେଆରଡି ବିମାନରେ ଚିଠି ଆଣୁଥିଲେ ମୁମ୍ୱାଇ

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେତେବେଳେ ଗୋଟିଏ ଚିଠି ପାଇଁ ଜେଆରଡିଙ୍କୁ ମିଳୁଥିଲା ମାତ୍ର ୪ ଅଣା । ମୁମ୍ୱାଇର ଜୁହୁ ନିକଟରେ ଏକ ମାଟି ଘରେ ଆରମ୍ଭ ହୋଇଥିଲା ଟାଟା ଏୟାରଲାଇନ୍ସର ପ୍ରଥମ ଅଫିସ । ଏହା ନିକଟ ପଡିଆକୁ ରନ ୱେ ଭାବେ ବ୍ୟବହାର କରାଯାଉଥିଲା । ବର୍ଷା ଦିନରେ ଏହି ରନୱେରେ ପାଣି ଭରି ଯାଉଥିଲା । ସେତେବେଳେ ମୁମ୍ୱାଇ ବଦଳରେ ପୁଣେରୁ ଉଡାଣ ଭରୁଥିଲେ ଜେଆରଡି ।

୧୯୩୩ ମସିହାରେ ୧୫୫ ଯାତ୍ରୀ ଏବଂ ୧୧ ଟନ୍ ଡାକ ପରିବହନ କରିଥିଲା ଟାଟା ଏୟାରଲାଇନ୍ସ । ଜେଆରଡିଙ୍କ ନିକଟରେ ରହିଥିଲା ଦୁଇଟି ଗୋଟିଏ ଇଂଜିନ ବିଶିଷ୍ଟ ବିମାନ । ୨ ଜଣ ପାଇଲଟ ଏବଂ ୩ ଜଣ ମେକାନିକ ।

ଟାଟାଏୟାର ଲାଇନ୍ସର ପ୍ରଥମ ପାଇଲଟ
ବ୍ରିଟେନର ରାଜ ପରିବାରର ରୟାଲ ଏୟାରଫୋର୍ସର ପାଇଲଟ ହୋମୀ ଭରୁଚା
ଜେଆରଡି ଦ୍ୱିତୀୟ ଏବଂ ବ୍ରିସେଂଟ ତୃତୀୟ ପାଇଲଟ

ଦି୍ୱତୀୟ ବିଶ୍ୱଯୁଦ୍ଧ ସରିବା ପରେ ଆରମ୍ଭ ହେଲା ବିମାନ ଉଡାଣ । ୧୯୪୬ ଜୁଲାଇ ୨୯ରେ ଟାଟା ଏୟାରଲାଇନ୍ସ ପବ୍ଲିକ ଲିମିଟେଡ କମ୍ପାନୀ ହୋଇଥିଲା । ପବ୍ଲିକ ଲିମିଟେଡ୍ କମ୍ପାନୀ ପରେ ବଦଳିଗଲା ଟାଟା ଏୟାରଲାଇନ୍ସ ନାମ । ସ୍ଥାପନର ପ୍ରାୟ ୧୫ ବର୍ଷରେ ଟାଟା ଏୟାରଲାଇନ୍ସ ହେଲା ଏୟାରଇଣ୍ଡିଆ ।

୧୯୪୬ରେ ଟାଟା ଏୟାରଲାଇନ୍ସ ହେଲା ଏୟାରଇଣ୍ଡିଆ । ୧୯୪୭ରେ ଭାରତ ସରକାର ଏହାର ୪୯ ପ୍ରତିଶତ ଅଂଶଧନ କିଣି ନେଇଥିଲେ । ୧୯୫୩ ମସିହାରେ ଏହାର ପୁରା ମାଲିକାନା ଭାରତ ସରକାରଙ୍କ ହାତକୁ ଆସିଲା । ଯାତ୍ରୀ ପରିବହନରେ ବିଦେଶରେ ଭାରତର ପରିଚୟ ପାଲଟିଗଲା ଏୟାରଇଣ୍ଡିଆ । ବର୍ତମାନ ଠିକ୍ ୬୯ ବର୍ଷ ପରେ ଟାଟା ଗ୍ରୁପ୍ ହାତକୁ ପୁଣି ଫେରିଛି ଏୟାରଇଣ୍ଡିଆ । କ୍ଷତିରେ ଚାଲୁଥିବା ଏୟାରଇଣ୍ଡିଆର ଡେଣାରେ ବଳ ଦେବାକୁ ଆଗେଇ ଆସିଛି ଟାଟା ଗ୍ରୁପ୍ ।