ଜାମ୍ମୁକାଶ୍ମୀରରେ ଏବର୍ଷ ନିପାତ ହେଲେଣି ୧୯୧ ଆତଙ୍କବାଦୀ । କିନ୍ତୁ କମୁନି ସଂଖ୍ୟା, ଆତଙ୍କୀ ସଂଗଠନରେ ଯୋଗ ଦେଉଛନ୍ତି ସ୍ଥାନୀୟ ଯୁବକ ।

381

କନକ ବ୍ୟୁରୋ : ଜମ୍ମୁକଶ୍ମୀରରେ ସୁରକ୍ଷା ବଳ ଦ୍ୱାରା ନିୟମିତଭାବେ ଆତଙ୍କବାଦୀମାନଙ୍କୁ ନିପାତ କରାଯାଉଥିବା ସତ୍ୱେ ଘାଟିରୁ ଆତଙ୍କବାଦ ଶେଷ ହେବାର ନାଁ ଧରୁନାହିଁ । କାରଣ ଗତ କିଛି ବର୍ଷ ହେଲା ଅନେକ ସ୍ଥାନୀୟ ଯୁବକ ଆତଙ୍କବାଦୀ ସଂଗଠନରେ ମିଶିବାକୁ ପସନ୍ଦ କରୁଛନ୍ତି । ଦିନକୁ ଦିନ ସେମାନଙ୍କ ସଂଖ୍ୟା ବଢିଚାଲିଥିବାରୁ ତାହା ସରକାର ଓ ସୁରକ୍ଷା ବାହିନୀ ପାଇଁ ଚିନ୍ତାର କାରଣ ହୋଇଛି ।

ଚଳିତବର୍ଷ ଜାନୁଆରିରୁ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଜମ୍ମୁକଶ୍ମୀରରେ ୧୯୧ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ବିଦେଶୀ ଆତଙ୍କବାଦୀ ଅଛନ୍ତି । ଏହି ସମୟ ମଧ୍ୟରେ ପ୍ରାୟ ୧୪୫ ଜଣ ସ୍ଥାନୀୟ ଯୁବକ ମୁଖ୍ୟଧାରା ଛାଡ଼ି ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ।
୨୦୧୮ରେ ୧୦୭ଟି ଏନକାଉଣ୍ଟରରେ ମୋଟ ୨୫୪ ଜଣ ଆତଙ୍କୀ ନିପାତ ହୋଇଥିଲେ । ସେହିବର୍ଷ ୨୧୦ ଜଣ ସ୍ଥାନୀୟ ଯୁବକ ବିଭିନ୍ନ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲେ । ତାହା ତୁଳନାରେ ଚଳିତବର୍ଷ ଏପର୍ଯ୍ୟନ୍ତ ୮୬ଟି ଏନକାଉଣ୍ଟରରେ ୧୯୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଚଳିତବର୍ଷ ଏପର୍ଯ୍ୟନ୍ତ ୧୪୫ ଜଣ ସ୍ଥାନୀୟ ଯୁବକ ଆତଙ୍କବାଦୀ ହୋଇଥିବାବେଳେ ଆହୁରି ୫-୮ ଜଣ ଯୁବକ ନିଖୋଜ ଅଛନ୍ତି । ସେମାନେ ବି ଆତଙ୍କବାଦୀ ହୋଇଯାଇଥିବା ସଂଦେହ କରାଯାଉଛି । ତେବେ ଚଳିତବର୍ଷ ପ୍ରାୟ ୫୦ ଜଣ ଯୁବକ ଗିରଫ ହୋଇଛନ୍ତି ଅଥବା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।