ଗଞ୍ଜାମରେ ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦ୍ଦାଫାସ : ୧୯ଟି ଚୋରା ବାଇକ ଜବତ, ୭ ଗିରଫ

Advertisment
ଗଞ୍ଜାମରେ ଆନ୍ତଃଜିଲ୍ଲା ବାଇକ ଚୋରି ରାକେଟର ପର୍ଦ୍ଦାଫାସ : ୧୯ଟି ଚୋରା ବାଇକ ଜବତ, ୭ ଗିରଫ

କନକ ବ୍ୟୁରୋ : ଗଞ୍ଜାମରେ ଆନ୍ତଃଜିଲ୍ଲା ବାଇକ ଚୋରୀ ରାକେଟର ପର୍ଦ୍ଦାଫାସ ହୋଇଛି । ଭଂଜନଗର ଓ ବୁଗୁଡା ପୁଲିସ ୧୯ଟି ଚୋରା ଗାଡିକୁ ଧରିବା ସହ ରାକେଟରେ ସଂପୃକ୍ତ ୭ ଅଭିଯୁକ୍ତଙ୍କୁ  ଗିରଫ କରିଛି ।  ଗତ ପାର୍ବଣ ସମୟରେ ଗଂଜାମ, କନ୍ଧମାଳ ଓ ରାୟଗଡା ଜିଲ୍ଲାରୁ ବହୁ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା ।

ଗତ ୩ ତାରିଖରେ ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ରୋଡ଼ ଝାଙ୍କରେଇ ମନ୍ଦିର ନିକଟରୁ ବାଇକ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଦୁଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା । ଏହାପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଭଂଜନଗର ପୁଲିସ ସହ ବେଲଗୁଣ୍ଠା ଓ ବୁଗୁଡା ଥାନାର ବଛା ବଛା ଅଧିକାରୀଙ୍କୁ ନେଇ ଏକ ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ୧୯ଟି ମୋଟର ସାଇକେଲ ଉଦ୍ଧାର କରିବା ସହ ୭ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଅଭିଯୁକ୍ତ ମାନେ ବିଭିନ୍ନ ଇଲାକାରୁ ଗାଡ଼ି ଚୋରି କରିବା ପରେ ବୁଗୁଡ଼ା ଓ ଭଂଜନଗର ଅଞ୍ଚଳରେ କିଛି ଗେରେଜ ମାଲିକଙ୍କୁ ଏହା ବିକ୍ରି କରି ଦେଉଥିଲେ । ସେହି ଦିଗରେ ପୁଲିସ ତଦନ୍ତ କରି ଗାଡି ଚୋରି ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଥିବା ବେଳେ ପାଞ୍ଚ ଜଣ ଚୋରି ଗାଡି କିଣିକା ଅଭିଯୋଗରେ ଗିରଫ କରାଯାଇଥିବା ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନଙ୍କ ଠାରୁ ୧୭ ଗୋଟି ବାଇକ, ୨ଟି ସ୍କୁଟି ଜବତ ହୋଇଥିବା ବେଳେ ସେଗୁଡିକ ଭଂଜନଗର, ବେଲଗୁଣ୍ଠା, ବୁଗୁଡା, ବ୍ରହ୍ମପୁର ବଡ ବଜାର ଥାନା, କନ୍ଧମାଳ ଜିଲ୍ଲାର ରାଇକିଆ ଥାନା, ସାରଙ୍ଗଗଡ଼ ଥାନା, ସୋନପୁର ଏବଂ ରାୟଗଡା ଜିଲ୍ଲାର ଚୋରି ଗାଡ଼ି ରହିଥିବା ଉପଖଣ୍ଡ ପୁଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି । ଏହି ବାଇକ ଚୋରି ଘଟଣାରେ ଅନ୍ୟ କିଛି ଅଭିଯୁକ୍ତ ରହିଥିବା ବେଳେ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe