କନକ ବ୍ୟୁରୋ: ଆସନ୍ତା ରବିବାର ଦେଶର ନୂଆ ସଂସଦ ଭବନର ଉଦଘାଟନ ହେବାକୁ ଯାଉଛି । ପ୍ରାୟ ୧୦୦ ବର୍ଷ ପରେ ଉଦଘାଟନ ହେବାକୁ ଥିବା ନୂଆ ସଂସଦ ଭବନକୁ ନେଇ ରାଜନୀତି ଜୋର ଧରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନ ଉଦଘାଟନ କରିବାକୁ ନେଇ ପ୍ରାୟ ସମସ୍ତ ବିରୋଧୀ ଦଳ ବିରୋଧ କରିଛନ୍ତି । ଏହାକୁ ବିରୋଧ କରି ବୁଧବାର କଂଗ୍ରେସ, ଟିଏମସି, ଆପ୍, ବାମ ଦଳ, ସମାଜବାଦୀ ପାର୍ଟି, ଜେଡିୟୁ, ଆରଜେଡି, ଏନସିପି, ଶିବସେନା(ୟୁବିଟି), ସମେତ ୧୯ ବିରୋଧୀ ଉଦଘାଟନ ଉତ୍ସବକୁ ବର୍ଜନ କରିବାକୁ ମିଳିତ ଭାବେ ଘୋଷଣା କରିଛନ୍ତି ।

Advertisment

ବିରୋଧୀ କହିଛନ୍ତି, ଗଣତନ୍ତ୍ର ପ୍ରତି ସରକାରଙ୍କ ଭୟ ରହିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ନକରି ପ୍ରଧାନମନ୍ତ୍ରୀ ମୋଦୀ ଏକାକୀ ସଂସଦ ଭବନର ଉଦଘାଟନ କରିବା ସଂସଦୀୟ ବ୍ୟବସ୍ଥା ପ୍ରତି ଅପମାନ । ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟପ୍ରତି କରିବା ଉଚିତ୍ ବୋଲି ରାହୁଲ ଗାନ୍ଧୀଙ୍କ ଟୁଇଟ ପରେ ଏହାକୁ ନେଇ ବିବାଦ ବଢିବାରେ ଲାଗିଛି ।

ରାଷ୍ଟ୍ରପତି ଜଣେ ଆଦିବାସୀ ମହିଳା ହୋଇଥିବାରୁ ସାରା ଦେଶ ଖୁସି ଅଛି । କିନ୍ତୁ, ଉଦଘାଟନ ଉତ୍ସବକୁ ତାଙ୍କୁ ନଡାକିବା ଦେଶ ପାଇଁ ଅପମାନ ବୋଲି ବିରୋଧୀ କହିଛନ୍ତି । ବିରୋଧୀଙ୍କ ଦାବି, ସମ୍ବିଧାନର ଧାରା ୭୯ ଅନୁଯାୟୀ, ସଂସଦ, ଲୋକସଭା, ରାଜ୍ୟସଭ୍ୟ ଓ ରାଷ୍ଟପ୍ରତିଙ୍କୁ ନେଇ ଗଠିତ । ସଂସଦର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି । ହେଲେ ନୂଆ ସଂସଦ ଭବନ ଉଦଘାଟନ ରାଷ୍ଟ୍ରପତି ନ କରିବା ତାଙ୍କ ପଦବୀ ପ୍ରତି ଅପମାନ ।

ବିରୋଧୀଙ୍କ ଦାବିକୁ ନେଇ ବିଜେପି ସେପରି କୌଣସି କଡ଼ା ପ୍ରତିକ୍ରିୟା ଦେଇନାହିଁ । ଗୃହମନ୍ତ୍ରୀ  ଅମିତ ଶାହା କହିଛନ୍ତି, ଉଦଘାଟନୀ ଉତ୍ସବଙ୍କୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି, ସେମାନେ ନିଷ୍ପତି ନେବେ ଆସିବେ କି ନାହିଁ । କିନ୍ତୁ ଏହାକୁ ନେଇ ରାଜନୀତି କରାନଯାଉ । ବର୍ଜନ ନିଷ୍ପତିର ପୁନଃବିଚାର କରିବାକୁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।

ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରି ବିଜେପି ଯେଉଁ ବଡ଼ ଭୋଟ ବ୍ୟାଙ୍କ୍ ହାତେଇବାକୁ ଚେଷ୍ଟା କରିଥିଲା ସେଥିରେ ବିରୋଧୀ ବାଧା ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି । ରାଷ୍ଟ୍ରପତିଙ୍କ କାନ୍ଧରେ ବନ୍ଧୁକ ରଖି ବିଜେପିକୁ ବ୍ୟାକ୍ଫୁଟକୁ ଠେଲି ଦେଇଛନ୍ତି ବିରୋଧୀ ।