ଇତିହାସ ରଚିବ ବିହାର ନିର୍ବାଚନ । ପ୍ରଥମଥର ପାଇଁ ନିର୍ବାଚନୀ ମୁଦ୍ଦା ସାଜିଛି ବେକାରୀ । ରୋଜଗାର ସହିତ ମାଗଣା ଟୀକା ଦେବାକୁ ବିଜେପିର ଇସ୍ତାହାର

495

କନକ ବ୍ୟୁରୋ : ବିହାର ନିର୍ବାଚନକୁ ନେଇ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳମାନେ ସେମାନଙ୍କର ସର୍ବନିମ୍ନ ସାଧାରଣ କର୍ମସୂଚୀ ଜାରି କରିବାରେ ଲାଗିଛନ୍ତି । ପ୍ରଥମେ ମହାଗଠବନ୍ଧନ ଦ୍ୱିତୀୟରେ ଚିରାଗ ପାସୱାନଙ୍କ ଏଲଜେପି ଓ ଏବେ ଏନଡିଏ ପକ୍ଷରୁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି ।

ଆଜି ଏନଡିଏ ପକ୍ଷରୁ ଯେଉଁ ନିର୍ବାଚନୀ ଇସ୍ତାହାର ଘୋଷଣା କରାଯାଇଛି । ସେଥିରେ କୁହାଯାଇଛି ଯେ ଏନଡିଏ ଯଦି ପୁଣିଥରେ ବିହାରରେ କ୍ଷମତା ଦଖଲ କରେ ତେବେ ବିହାରର ୧୯ ଲକ୍ଷ ବେକାର ଯୁବକ ଯୁବତୀଙ୍କୂୁ ଚାକିରୀ ଦିଆଯିବ । ଏହା ସହ ପ୍ରସ୍ତୁତ ଅପେକ୍ଷାରେ ଥିବା କରୋନା ଟୀକା ପ୍ରସ୍ତୁତ ହୋଇ ସାରିଲା ପରେ ବିହାରବାସୀଙ୍କୁ ତାହା ମାଗଣାରେ ଦିଆଯିବ । ଏନେଇ ବିଜେପିର ବରିଷ୍ଠ ନେତା ତଥା ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ଗୁରୁବାର ଦିନ ପାର୍ଟିର ଘୋଷରା ପତ୍ର ଜାରି କରିଛନ୍ତି । ଏହି ଘୋଷଣାପତ୍ର୍ର୍ର ମାଧ୍ୟମରେ ବିହାର ଲୋକଙ୍କ ପାଇଁ ମାଗଣା ଯୋଜନା ମାନ ପ୍ରଣୟନ କରିବାକୁ ଏନଡିଏ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

ବିଜେପି ଦ୍ୱାରା ଜାରି କରାଯାଇଥିବା ଏହି ଘୋଷଣା ପତ୍ର ସହିତ ଏକ ଭିଡିଓ ବି ଜାରି କରାଯାଇଛି । ଘୋଷଣା ପତ୍ରରେ ୫ ବର୍ଷରେ ୧୯ ଲକ୍ଷ ବେକାରୀଙ୍କୁ ରୋଜଗାର ଦେବାକୁ ପ୍ରତିଶୃତି ଦିଆଯାଇଛି । ଏହାସହ କୃଷକ ମାନଙ୍କର ରୋଜଗାରକୁ ଦ୍ୱିଗୁଣା କରାଯିବା କଥା କୁହାଯାଇଛି । ଅନ୍ୟପଟେ ବିହାରର ୧ କୋଟି ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ପ୍ରତିଶୃତି ଦେଇଛି ବିଜେପି । ଏହା ସହ କରୋନା ମହାମାରୀ ପାଇଁ ପ୍ରସ୍ତୂୁତ କରାଯାଉଥିବା ଟୀକାର ସଫଳ ପରୀକ୍ଷଣ ପରେ ବିହାରବାସୀଙ୍କୁ ମାଗଣାରେ ଟୀକା ଦେବାକୁ ପ୍ରତିଶୃତି ଦେଇଛନ୍ତି ନିର୍ମଳା ସୀଥାରମଣ ।
ଏହି ସର୍ବନିମ୍ନ ସାଧାରଣ କର୍ମସୂଚୀ ଘୋଷଣା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ, ବିହାର ବିଜେପି ପ୍ରଭାରୀ ଭୂପେନ୍ଦ୍ର ଯାଦବ, ରାଜ୍ୟ ଅଧ୍ୟକ୍ଷ ସଂଜୟ ଜୟଶ୍ୱାଲ,କେନ୍ଦ୍ରୀୟ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ସହ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ସବୁଠାରୁ ବଡକଥା ହେଉଛି ଅନ୍ୟ ନିର୍ବାଚନ ଭଳି ବିହାର ନିର୍ବାଚନରେ ପାକିସ୍ତାନ, ହିନ୍ଦୁ, ମୁସଲିମ୍, ରାମ ମନ୍ଦିର, କଳାଧନ ଭଳି ପ୍ରତିଶୃତିରୁ ବାହାରିଛି ବିଜେପି । ଆରଜେଡି ମୁଖ୍ୟ ତେଜସ୍ୱୀଙ୍କ ୧୦ ଲକ୍ଷ ନିଯୁକ୍ତି ପ୍ରତିଶୃତି ପରେ ପ୍ରଥମ ଥର ପାଇଁ ଦେଶରେ ବେକାରୀକୁ ମୁଦ୍ଦା କରିଛନ୍ତି ଅନ୍ୟ ରାଜନୈତିକ ଦଳ ମାନେ । ଯାହା କି ଗଣତନ୍ତ୍ର ପାଇଁ ଶୁଭଙ୍କର ।