ବଡଠାକୁରଙ୍କୁ ହାତ ଖୋଲି ଦାନ ଦେଲେ ଭକ୍ତ । ୧୮୭ କୋଟି ଟଙ୍କା ସାଙ୍ଗକୁ ମିଳିଛି ୧୭ କେଜିରୁ ଅଧିକ ସୁନା ।

2,454

କନକ ବ୍ୟୁରୋ : ବଡଠାକୁରଙ୍କୁ ହାତ ଖୋଲି ଦାନ ଦେଇଛନ୍ତି ଭକ୍ତ । ଟଙ୍କା ସାଙ୍ଗକୁ ସୁନା ଓ ରୂପା ଦାନରେ ଦେଇଛନ୍ତି ମହାପ୍ରଭୁଙ୍କ ଭକ୍ତ । ତେବେ କେତେ ଟଙ୍କାର ଦାନ ମିଳିଛି ସେନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।

ବିଜେଡ଼ି ବିଧାୟକ ଊମାକାନ୍ତ ସାମନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଜାନୁଆରୀ ଶେଷ ସୁଦ୍ଧା ପୁରୀ ବଡ ଦେଉଳକୁ ମିଳିଛି ୧୮୭ କୋଟି ୧ ଲକ୍ଷ ୮୫ ହଜାର ଟଙ୍କାର ଦାନ । ସେହିଭଳି ମହାପ୍ରଭୁଙ୍କ ପାଇଁ ଭକ୍ତ ଦେଇଛନ୍ତି ୧୭ କିଲୋ ୭୫୬ ଗ୍ରାମର ୭୦୬ ମିଲିଗ୍ରାମର ସୁନା । ଏହି ଦାନ ସୁନା ଭିତରେ ଅନେକ ଅଳଙ୍କାର ମଧ୍ୟ ରହିଛି । ସେହିଭଳି ୨୨୭ କେଜି ୯୫ ଗ୍ରାମ ଓ ୩୦୭ ମିଲିଗ୍ରାମର ରୂପା ମଧ୍ୟ ଦାନ ସୂତ୍ରରେ ମିଳିଛି । ଏହାବାଦ ବିଭିନ୍ନ ଲୁଗାପଟା, ଘଣ୍ଟ, ଘଣ୍ଟି, ରଥ ନିର୍ମାଣରେ ଲାଗୁଥିବା କପଡା, ପାଟ ମଧ୍ୟ ଦାନ ଆକରରେ ମିଳିଛି ।

ଦାନରେ ମିଳିଥିବା ଟଙ୍କାକୁ ବ୍ୟାଙ୍କରେ ରଖାଯାଇଥିବା ବେଳେ ଏହାକୁ ସେବାୟତ ମାନଙ୍କୁ ଦରମା ଆକାରରେ ଦିଆଯାଏ । ସେହିଭଳି ଗ୍ରୋସରୀ ସାମଗ୍ରୀକୁ କୋଠଭୋଗରେ ବ୍ୟବହାର କରାଯାଏ । ଦାନରେ ମିଳିଥିବା ସୁନା ଓ ରୂପାକୁ ବିଭିନ୍ନ ଅଳଙ୍କାର ମରାମତିରେ ବ୍ୟବହାର କରାଯାଏ ।