ରାଜ୍ୟରେ ବଦଳିବ ସ୍ୱାସ୍ଥ୍ୟସେବାର ଚିତ୍ର । ‘ଆମ ହସ୍ପିଟାଲ’ ଯୋଜନାରେ ରୂପାନ୍ତରଣ ହେବ ରାଜ୍ୟର ୧୮୫୮ ଡାକ୍ତରଖାନା । ଫାଇଭ- ଟି ଅଧିନରେ ୫ ବର୍ଷ ମଧ୍ୟରେ ସରିବ କାର୍ଯ୍ୟ ।

181

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ମୋ ସ୍କୁଲ, ମୋ କଲେଜ ଯୋଜନା ଭଳି ଆମ ହସ୍ପିଟାଲ ଯୋଜନା ଆରମ୍ଭ କରିଛନ୍ତି ସରକାର । ଆମ ହସ୍ପିଟାଲ ଯୋଜନାରେ ରୁପାନ୍ତରଣ ହେବ ରାଜ୍ୟର ୧୮୫୮ ଡାକ୍ତରଖାନା । ଫାଇଭ-ଟି ଅଧିନରେ ସରକାରୀ ଡାକ୍ତରଖାନାର ଭିତିଭୂମି ସୃଦୃଢ କରାଯିବ ।

ଅନୁକୁଳ ପରିବେଶରେ ରୋଗୀଙ୍କୁ ମିଳିବ ଉନ୍ନତ ସ୍ୱାସ୍ଥ୍ୟ ସେବା । ଆଉ ହସ୍ପିଟାଲରେ ଦେଖିବାକୁ ମିଳିବନି ଲମ୍ବା ଲାଇନ । ସୂୁଚନା ଦେବା ପାଇଁ ଲାଗିବ ଡିସପ୍ଲେ ବୋର୍ଡ । ଯାହାର ନମ୍ବର ଆସିବ ମାଇକରେ ସମ୍ପୃକ୍ତ ରୋଗୀଙ୍କ ନାମ ଡକାଯିବ । ଲାବ୍ରୋଟେରୀ ରିପୋର୍ଟ ପାଇଁ ଅଯଥାରେ ରୋଗୀଙ୍କୁ ଡାକ୍ତରଖାନା ଆସିବାବୁ ପଡିବନି । ହ୍ୱାଟସପ୍, ଇ-ମେଲ ଜରିଆରେ ରୋଗୀଙ୍କ ପାଖରେ ପହଂଚିବ ଲ୍ୟାବ ରିପୋର୍ଟ । ଫାଇଭ-ଟି ଅଧିନରେ ଚମକିବ ସରକାରୀ ଡାକ୍ତରଖାନା । ଏନେଇ କ୍ୟାବିନେଟରେ ନିଷ୍ପତି ହୋଇଛି । ଆସନ୍ତା ୫ ବର୍ଷ ୨୦୨୩ରୁ ୨୦୨୮ ମଧ୍ୟରେ ଏହି ଯୋଜନାରେ ଖର୍ଚ୍ଚ ହେବ ୩ ହଜାର ୩ ଶହ ୮୮ କୋଟି ୭୩ ଲକ୍ଷ ଟଙ୍କା । ପ୍ରଥମ ବର୍ଷରେ ଅର୍ଥାତ୍ ୨୦୨୩ରୁ ୨୪ ମଧ୍ୟରେ ୧୪୯ ଡାକ୍ତରଖାନାର ରୁପାନ୍ତର ହେବ । ପ୍ରାଥମିକ ଡାକ୍ତରଖାନାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପର୍ଯ୍ୟନ୍ତ ସବୁ ମେଡିକାଲର ପର୍ଯ୍ୟାୟ କ୍ରମେ ଉନ୍ନତିକରଣ କରାଯିବ । ଏଥିସହ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ୫ ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ଅଟକଳକୁ ମଂଜୁରୀ ମିଳିଛି । ଜାନୁଆରୀରୁ ଏହି ପ୍ରକଳ୍ପର କାମ ଆରମ୍ଭ ହେବା ସମ୍ଭାବନା ରହିଛି । ଏହା ସହ ୧୨ଟି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ ।