ଭାରତ କରୁଛି କରୋନା ମୁକାବିଲା: ସଙ୍କଟ ଆଣିବ କି ସମାବେଶ? ୨୪ ଘଣ୍ଟାରେ ଦେଶରେ ୩୮୬ଟି କରୋନା ପଜିଟିଭ୍ ଚିହ୍ନଟ, ନିଜାମୁଦ୍ଦିନ୍ ସମାବେଶକୁ ଦାୟୀ କଲା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ

438

କନକ ବ୍ୟୁରୋ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୬ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି ଓ ମୃତ୍ୟୁସଂଖ୍ୟା ୩୮ ରହିଛି । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ତାବଲିଗିି ଜମାତ ସମ୍ମିଳନୀରେ ଯୋଗଦେଇଥିବା ଲୋକମାନେ ସଂକ୍ରମିତ ହୋଇଥିବାରୁ ସାରା ଦେଶରେ ସଂକ୍ରମଣ ସଂଖ୍ୟା ବଢିଚାଲିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । ସେ କହିଛନ୍ତି ଯେ, ତାବଲିଗିି ଜମାତ ସହ ସଂପର୍କିତ ପ୍ରାୟ ୧୮୦୦ ଜଣ ଲୋକଙ୍କୁ ବିଭିନ୍ନ ହସ୍ପିଟାଲ ଓ କ୍ୱାରାଣ୍ଟାଇନ ସେଣ୍ଟରରେ ଭର୍ତ୍ତି କରାଯାଇଛି । ତେବେ ଲକଡାଉନ ସମୟରେ ଏହି ସମ୍ମିଳନୀକୁ ରୋକାଯାଇପାରିଥାନ୍ତା ।

ସବୁଠାରୁ ବଡ଼ କଥା ହେଲା କି, ରେଳବାଇ ପକ୍ଷରୁ ୨୦ ହଜାର ରେଳଡବାରେ ପ୍ରାୟ ୩.୨ ଲକ୍ଷ କ୍ୱାରାଣ୍ଟାଇନ ବେଡ ପ୍ରସ୍ତୁତ କରାଯାଇଛି । ଆଉ ୫ ହଜାର ରେଳଡବାକୁ ଏଥିପାଇଁ ପ୍ରସ୍ତୁତ କରାଯାଉଛି । ଅନ୍ୟପକ୍ଷରେ ବିମାନ ମାଧ୍ୟମରେ ଜରୁରୀ ଡାକ୍ତରୀ ସାମଗ୍ରୀ ଯଥା ଔଷଧ, ମାସ୍କ, ଟେଷ୍ଟିଂ କିଟ ଆଦିର ପରିବହନ କରାଯାଉଛି । ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୫୦ ହଜାର ପରୀକ୍ଷା କରାଯାଇସାରିଲାଣି ଓ ତାମଧ୍ୟରୁ ୮୬୧ଟି ପରୀକ୍ଷା ଘରୋଇ ଲାବରେ କରାଯାଇଛି ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୬୦ ହଜାର ଛୁଇଁଥିବା ବେଳେ ୪୨ ହଜାର ୩୪୪ ଜଣଙ୍କ ମୃତ୍ୟୁ ହୋଇଛି । ବିଶ୍ୱରେ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୩୨ ହଜାର ୮୯୮ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ରହିଛି । ସେହିପରି ୧ଲକ୍ଷ ୭୮ ହଜାର ୪୩୮ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିିଛି । ବିଶ୍ୱରେ ଆମେରିକାରେ ସର୍ବାଧିକ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି । ଆମେରିକାରେ ୧ଲକ୍ଷ ୮୮ ହଜାର ୫୯୨ ଜଣ ସଂକ୍ରମିତ, ହୋଇଥିବାବେଳେ ୪ହଜାର ୫୫ଜଣଙ୍କର ମୃତ୍ୟୁ ହୋଇଛି । ଅର୍ଥାତ ଆମେରିକାରେ କରୋନା ମୃତ୍ୟୁ ସଂଖ୍ୟା ଚୀନକୁ ଟପିଯାଇଛି ।