ଗଛ ଉପରେ ମଂଚା ସାଜିଲା ସଂଗରୋଧ କେନ୍ଦ୍ର : ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାରୁ ଆସିଲା ଅଭାବନୀୟ ଚିତ୍ର

159

କନକ ବ୍ୟୁରୋ : ଗଛରେ ମଂଚା, ଆଉ ମଂଚାରେ କରୋନା ରୋଗୀ । ମହାମାରୀ କରୋନାରେ ସଂକ୍ରମିତ ବୋଲି ଜାଣିବା ପରେ ଜଣେ ୧୮ ବର୍ଷର ଛାତ୍ରଙ୍କୁ ପ୍ରଥମେ ପରିବାର ସଦସ୍ୟଙ୍କ ସୁରକ୍ଷା ଚିନ୍ତା ଘାରିଥିଲା । ନିଜ ଘରେ ସଂଗରୋଧରେ ରହିବା ପାଇଁ କୌଣସି ଅଲଗା କୋଠରୀ ନଥିବାରୁ, ଘର ସାମ୍ନାରେ ଥିବା ଏକ ଗଛକୁ ସଂଗରୋଧ କେନ୍ଦ୍ର କରିବା ପାଇଁ ସ୍ଥିର କରିଥିଲେ । ଆଉ ସେହି ଗଛରେ ଏକ ଅସ୍ଥାୟୀ ମଂଚା ବାନ୍ଧିଥିଲେ ।

ଗତ ମେ’ ୪ ତାରିଖରୁ ଏହିଠାରେ ରହିଆସୁଛନ୍ତି ଛାତ୍ର ଜଣକ । ଏଭଳି ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲାରୁ । ଯୁକ୍ତ-୩ରେ ପଢୁଥିବା ରାମଭତ ଶିବା, କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବାପରେ ଗତ ମାସରେ ଘରକୁ ଫେରିଆସିଥିଲେ । ପରିବାରକୁ ସହାୟତା କରିବା ପାଇଁ ମହାତ୍ମା ଗାନ୍ଧୀ ନରେଗା ଯୋଜାନରେ ନିଜକୁ ପଞ୍ଜିକୃତ କରିଥିଲେ । ହେଲେ କରୋନା ଲକ୍ଷଣ ଦେଖାଦେବାରୁ ସେ ପରୀକ୍ଷା କରିବା ପରେ ପଜିଟିଭ ଚିହ୍ନଟ ହେଲେ । ଘରେ ସଂଗରୋଧରେ ରହିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ଗୋଟିଏ ରାତି ବାହାରେ ବିତାଇବା ପରେ ସେ ଗଛ ଉପରେ ଆଶ୍ରୟ ନେବାପାଇଁ ବ୍ୟବସ୍ଥା କରିଦେଲେ ।