ବାଲୁଗାଁରେ ଚାଞ୍ଚଲ୍ୟ । କଲେଜ ଛାତ୍ରୀଙ୍କୁ ଘରେ ପଶି ଗଳାକାଟି ହତ୍ୟା, ଏକତରଫା ପ୍ରେମରୁ ହତ୍ୟାକାଣ୍ଡ ଚର୍ଚ୍ଚା

ଆକ୍ରମଣ କରିଥିବା ଯୁବକକୁ ଅଟକ ରଖି ପୁଲିସର ତନାଘନା

968

କନକ ବ୍ୟୁରୋ: କଲେଜ ଛାତ୍ରୀଙ୍କୁ ଘରେ ପଶି ହତ୍ୟା । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଗଙ୍ଗନଗରରେ ଘଟିଛି ଏହି ହତ୍ୟାକାଣ୍ଡ । ହତ୍ୟାକାଣ୍ଡ ପଛରେ ଏକତରଫା ପ୍ରେମ ବୋଲି ଚର୍ଚ୍ଚା ହେଉଛି । ବାଲୁଗାଁ କଲେଜରେ ଯୁକ୍ତ ୨ରେ ପଢ଼ୁଥିବା ଛାତ୍ରୀ ଜଣକ ସଂଧ୍ୟାରେ ଘରେ ବସି ପାଠ ପଢ଼ୁଥିବା ବେଳେ ଜଣେ ଯୁବକ ପଶି ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଚିକିତ୍ସା ପାଇଁ ପ୍ରଥମେ ଛାତ୍ରୀ ଜଣଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଆହୁରି ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣ କରିଥିବା ଯୁବକକୁ ଅଟକ ରଖିଛି ପୁଲିସ୍ ।

ପୁଲିସ୍ କହିବା ଅନୁସାରେ, ବାଲୁଗାଁ ଥାନା ଗଙ୍ଗାନଗରର ରାମଚନ୍ଦ୍ର ବେହେରାଙ୍କ ଏକମାତ୍ର ଝିଅ ଶିବାନୀ (୧୭) ଗତକାଲି ତାଙ୍କ ବାରିପଟେ ଘରେ ପାଠ ପଢ଼ୁଥିବା ବେଳେ ତାଙ୍କ ଭାଉଜ ଓ ମା’ ଦାଣ୍ଡଘରେ ଟିଭି ଦେଖୁଥିଲେ। ତେବେ ରାତି ପ୍ରାୟ ୮ଟା ସମୟର ଜଣେ ଯୁବକ ଶିବନୀ ପଢ଼ୁଥିବା ଘରେ ପଶିଥିଲା ଏବଂ କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ତଣ୍ଟି କାଟି ଫେରାର ହୋଇଯାଇଥିଲା। ଝିଅର ଚିତ୍କାର ଶୁଣି ପରିବା‌ର ଲୋକେ ଘର ଭିତରକୁ ଦୌଡ଼ି ଯାଇ ଦେଖିଲା ବେଳକୁ ଶିବାନୀ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯନ୍ତ୍ରଣାରେ ତଳେ ଗଡ଼ୁଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଘର ଲୋକେ ଶିବାନୀଙ୍କୁ ଗୁରୁତର ଅବସ୍ଥାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଯେ ବାଲୁଗାଁ କଲେଜ ଯୁକ୍ତ ୨ କଳାର ଛାତ୍ରୀ ଶିବାନୀଙ୍କୁ ଗ୍ରାମର ଜଣେ ଯୁବକ ଏକତରଫା ପ୍ରେମ କରୁଥିଲା। ମାତ୍ର ଶିବାନୀ ଓ ତାଙ୍କ ପରିବାର ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାକୁ କେନ୍ଦ୍ର କରି ସେହି ଯୁବକ ଜଣଙ୍କ ଶିବାନୀଙ୍କୁ ହତ୍ୟା କରିଛି ବୋଲି ବାଲୁଗାଁ ପୁଲିସ କହିଛି।