କନକ ବ୍ୟୁରୋ : ମହିଳାଙ୍କୁ ରୋଜଗାରର ରାସ୍ତା ଦେଖାଇଛି ଗେଣ୍ଡୁଫୁଲ ଚାଷ । ବାଲେଶ୍ୱର ବସ୍ତା ବ୍ଲକ ଗଙ୍ଗାଧରପୁର ଗାଁର ୧୮ ଜଣ ମହିଳା ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ଏଭଳି ଏକ ନିଆରା ପ୍ରୟାସ । ଓମ୍ ନାରାୟଣ ଶକ୍ତି ନାମକ ଏକ ଗ୍ରୁପ୍ ଗଠନ କରି ପ୍ରଥମେ କିଛି କିଛି ଟଙ୍କା ସଂଚୟ କରି ସେହି ଟଙ୍କାକୁ ବିନିଯୋଗ କରି ଗେଣ୍ଡୁଫୁଲ ଚାଷ କରିଛନ୍ତି । ଏହି ଚାଷରେ କମ୍ ପରିଶ୍ରମ ଓ କମ୍ ଖର୍ଚ୍ଚ ହେଉଥିବାରୁ ମହିଳା ମାନେ ଏହାକୁ ସହଜରେ କରିପାରୁଛନ୍ତି । ଗାଁର ଜଣେ ବ୍ୟକ୍ତିଙ୍କ ଠାରୁ ୧ ଏକର ଜମି ଲିଜରେ ଆଣି ଫୁଲ ଚାଷ ଆରମ୍ଭ କରିଛନ୍ତି । ଆଉ ଏଥିରେ ମହିଳାଙ୍କୁ ମିଶନ ଶକ୍ତି ପକ୍ଷରୁ ମିଳୁଛି ସହଯୋଗ । ଏହାଦ୍ୱାରା ମହିଳା ମାନେ ଘର କାମ କରିବା ସହ ମାସକୁ ୫ରୁ ୧୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ସେହି ଅର୍ଥରେ ସେମାନେ ସେମାନଙ୍କ ଆବଶ୍ୟକତା ପୂରଣ କରିପାରୁଛନ୍ତି ।
ପ୍ରଥମେ ହରଗୌରା ଫୁଲ ଚାଷ କରିଥିଲେ । ଏହା ପରେ ମିଶନ ଶକ୍ତିରୁ ଆଉ କିଛି ଅର୍ଥ ଆଣି ଗେଣ୍ଡୁ ଚାଷ କଲେ । ଆଗକୁ ଗୋଲାପ ଫୁଲ ଚାଷ କରିବା ପାଇଁ ମନସ୍ଥ କରିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ବାଲେଶ୍ୱରରୁ ୨ହଜାର ଗେଣ୍ଡୁ ଚାରା ଆଣି ଏକ ଏକର ଜମିରେ ରୋପଣ କରିଥିବା ବେଳେ ସେଥିରୁ ୧୨ ଶହ ଗଛରେ ଫୁଟିଛି ଫୁଲ । ସେହି ଫୁଲକୁ ସ୍ଥାନୀୟ ଅମର୍ଦା ରୋଡ଼, ଭେଲୋରା, ପାଉଁଶକୁଲି ଓ ରାଜଘାଟ ବଜାରରେ ବିକ୍ରି କରନ୍ତି । ଏହା ସହ ସ୍ଥାନୀୟ ବ୍ୟବସାୟୀ ମାନେ ମଧ୍ୟ ଜମି ନିକଟକୁ ଆସି କିଣି ନେଉଛନ୍ତି । ଉତ୍ପାଦିତ ହେଉଥିବା ଫୁଲ ବିକ୍ରି କରିବା ପାଇଁ ସୁବିଧା ସୁଯୋଗ ନଥିବାରୁ କମ୍ ଦାମରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ଫୁଲ ଚାଷୀ । ଶିତଳ ଭଣ୍ଡାର ସହ ବଜାର ବ୍ୟବସ୍ଥା କରାଗଲେ ଫୁଲ ଗୁଡିକୁ ସାଇତି ରଖିବା ସହ ବିକ୍ରି କରିବାରେ ଅସୁବିଧା ହେବ ନାହିଁ ବୋଲି ସେମାନେ କହିଛନ୍ତି ।
ସରକାରଙ୍କ ପକ୍ଷରୁ ସାର୍କେଟିଂ ବ୍ୟବସ୍ଥା ସହ ଶିତଳଭଣ୍ଡାର ବ୍ୟବସ୍ଥା କରାଗଲେ ଏହି ଫୁଲ ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ବିକ୍ରି ହୋଇପାରନ୍ତା ।