ଓଡିଶାରେ ମିଶିବାକୁ ଦାବି ଜଣାଇଲେ ଆନ୍ଧ୍ର ସୀମାନ୍ତର ୧୮ ଖଣ୍ଡ ଗାଁ ଲୋକ । କହିଲେ , ଆନ୍ଧ୍ରରୁ ମିଳୁନି ଓଡିଶା ଦେଉଥିବା ସୁବିଧା ।

164

କନକ ବ୍ୟୁରୋ: ଆନ୍ଧ୍ର ସୀମାନ୍ତରେ ଥିବା ୧୮ ଖଣ୍ଡ ଗାଁ ଓଡ଼ିଶାରେ ମିଶିବ । ଏନେଇ ଦାବି ଜଣାଇଛନ୍ତି ଆନ୍ଧ୍ର ସୀମାନ୍ତବାସୀ । ଓଡ଼ିଶାରେ ମିଳୁଥିବା ସୁବିଧା ସୁଯୋଗ ଆନ୍ଧ୍ରରେ ମିଳୁନାହିଁ, ତେଣୁ ସେମାନଙ୍କୁ ଓଡ଼ିଶାରେ ମିଶାଇ ଦେବାକୁ ଦାବି ଜଣାଇଲେ ଆନ୍ଧ୍ର ସୀମାନ୍ତବାସୀ । କୋଟିଆକୁ ନେଇ ଦୁଇ ରାଜ୍ୟର ମାମଲା ସୁପ୍ରିମକୋର୍ଟରେ ଚାଲିଥିବା ବେଳେ ଏବେ ଆନ୍ଧ୍ରର ଚାଲ ମହଙ୍ଗା ପଡ଼ିଛି । ଆନ୍ଧ୍ରପ୍ରଦେଶର ସାଲୁର ବ୍ଲକର କୋକଡ଼ା ପଂଚାୟତ ଛୋଟ ବଡ଼ ୧୮ଟି ଗାଁ ବିଧିବଦ୍ଧ ଭାବେ ମିଶିବା ପାଇଁ ଓଡ଼ିଶା ନେତାଙ୍କ ଆଗରେ ଗୁହାରୀ କରିଛନ୍ତି ।

ଆନ୍ଧ୍ର ପରିସୀମା ଭିତରେ ଆନ୍ଧ୍ର ସରକାରଙ୍କୁ ଚ୍ୟାଲେଞ୍ଜ ଦେଇ ଏକ ବଡ଼ ସଭାର ଆୟୋଜନ କରି ଓଡ଼ିଆ ନେତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ସଭାରେ ସାଲୁର ବ୍ଲକର ଅଧ୍ୟକ୍ଷ ପାଙ୍ଗି ମାଳତି ଦୋରା ସହ ମୁଖ୍ୟ ଅତିଥି ରୂପେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏବଂ ଅନ୍ୟ ନେତା ଉପସ୍ଥିତ ଥିଲେ । ଆନ୍ଧ୍ର ସରକାର ଦ୍ୱାରା ପ୍ରତାଡିତ ହେଉଥିବା ଏହି ଗ୍ରାମବାସୀମାନେ କିଭଳି ମୌଳିକ ସୁବିଧାରୁ ବଂଚିତ ରହିଛନ୍ତି ସେ ସମ୍ପର୍କରେ ବଖାଣିଛନ୍ତି । ସ୍କୁଲ ରହିଛି ଶିକ୍ଷକ ନାହାନ୍ତି, ଅଙ୍ଗନୱାଡ଼ି କେନ୍ଦ୍ର ରହିଛି କର୍ମଚାରୀ ନାହାନ୍ତି, ପିଇବା ପାଣିର ଅସୁବିଧା, ରାସ୍ତା ଘାଟର ଅସୁବିଧା ଏବଂ ସୀମାନ୍ତକୁ ଲାଗିଥିବା ଓଡ଼ିଶା ଗାଁର ସବୁ ପ୍ରକାର ସୁବିଧା ମିଳୁଛି । ବହୁ ବର୍ଷ ହେଲାଣି ଏଭଳି ଦୁଃଖ ଦୁର୍ଦ୍ଧଶାରେ ସେମାନଙ୍କ ଦିନ କଟୁଥିବା ବେଳେ ଓଡ଼ିଶାରେ ମିଶାଇ ଦେବାକୁ ସେମାନେ ଦାବି କରିଛନ୍ତି ।