୪ ମହାନଗରକୁ ଗଲା ଲକ୍ଷେ ଟିକା : ଆସନ୍ତାକାଲିଠୁ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ଦିଆଯିବ ଟିକା

126

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ରାଜ୍ୟର ୪ ମହାନଗର ନିଗମ କଟକ, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ୧୮-୪୪ବର୍ଷର ଲୋକଙ୍କୁ ଟିକା ଦିଆଯିବ । ରାଜ୍ୟ ସରକାର କିଣିଥିବା ଲକ୍ଷେ ‘କୋଭିସିଲ୍‌ଡ’କୁ ୪ଟି ମହାନଗର ନିଗମକୁ ଲୋକସଂଖ୍ୟା ଆଧାରରେ ଆବଣ୍ଟନ କରାଯାଇଛି । କଟକ ମହାନଗର ନିଗମକୁ ସର୍ବାଧିକ ୩୨,୮୦୦ ଡୋଜ୍ ଦିଆଯାଇଛି । ରାଉରକେଲା ମହାନଗର ନିଗମକୁ ୨୭,୩୦୦, ସମ୍ବଲପୁର ମହାନଗର ନିଗମକୁ ୨୦,୯୦୦ ଓ ବ୍ରହ୍ମପୁର ମହାନଗର ନିଗମକୁ ୧୯ହଜାର ଡୋଜ୍ ଟିକା ଦିଆଯାଇଛି । ରାଜ୍ୟର ୫ଟି ମହାନଗର ନିଗମରେ ସଂକ୍ରମଣର ସର୍ବାଧିକ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ରହିଥିବା ଦୃଷ୍ଟିରୁ ସହରାଞ୍ଚଳକୁ ପ୍ରାଥମିକତା ଦିଆଯାଉଛି ।

ସହରାଞ୍ଚଳ ପରେ ଅନ୍ୟ ଅଞ୍ଚଳରେ ଟିକା ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, ରାଜ୍ୟରେ ରବିବାର ଟିକାକରଣକୁ ବନ୍ଦ ରଖାଯାଇଛି। ଟିକାକରଣ କେନ୍ଦ୍ରକୁ ସାନିଟାଇଜ୍ କରିବା ଉଦ୍ଦେଶ୍ୟରେ ଟିକାକରଣ ବନ୍ଦ ରହୁଛି । ମାତ୍ର ବିଏମ୍‌ସିରେ ଗତକାଲି ୧୯ଟି ଅଧିବେଶନରେ ୩୬୮୩ ଲୋକଙ୍କୁ ଟିକା ଦିଆଯାଇଛି । ଏଥିରେ ୧୮-୪୪ବର୍ଗର ୧୦୭୮, ୪୫ବର୍ଷରୁ ଅଧିକ ୧୬୮୯ଜଣଙ୍କୁ ଦ୍ବିତୀୟ ଓ ୮୮୪ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି । ବିଏମ୍‌ସିରେ ଏ ପର୍ଯ୍ୟନ୍ତ ୧୮-୪୪ବର୍ଗର ୪୩,୭୩୮ଜଣଙ୍କୁ କରୋନା ଟିକା ଦିଆଗଲାଣି। ଅପରପକ୍ଷରେ ରାଜ୍ୟରେ ସମୁଦାୟ ଟିକାକରଣ ୬୧ଲକ୍ଷ ୫୨ହଜାର ୨୧୫କୁ ବୃଦ୍ଧି ପାଇଛି ।

ମାତ୍ର ବାଲେଶ୍ବର ଓ ଦେବଗଡ଼ ଜିଲ୍ଲାରେ ଟିକାକରଣ କରାଯିବ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସଂଧ୍ୟା ସୁଦ୍ଧା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକାକୁ ମିଶାଇ ସମୁଦାୟ ୮ଲକ୍ଷ ୧୮ହଜାର ୨୧୦ ଡୋଜ୍ ଟିକା ରାଜ୍ୟରେ ମହଜୁଦ ଅଛି । ରାଜ୍ୟ ସରକାର କେବଳ ୧୮-୪୪ବର୍ଷର ଲୋକଙ୍କୁ ଟିକା ଦେଉଥିବା ବେଳେ କେନ୍ଦ୍ର ସରକାର ୪୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଟିକା ‌ଯୋଗାଇ ଦେଉଛନ୍ତି ।