ଟିକାକରଣ ପାଇଁ ଯୁବବର୍ଗଙ୍କ ମଧ୍ୟରେ ଅହେତୁକ ଆଗ୍ରହ । ଗୋଟିଏ ମିନିଟରେ ପଞ୍ଜିକରଣ ପାଇଁ ଉଦ୍ୟମ କଲେ ୨୭ ଲକ୍ଷ । କିଛି ସମୟ ପାଇଁ କ୍ରାସ୍ କରିଗଲା ପୋର୍ଟାଲ ।

226

କନକ ବ୍ୟୁରୋ: କରୋନା ସଂକ୍ରମଣ ବିପଦଜନକ ଗତିରେ ମାଡି ଚାଲିଥିବା ବେଳେ ଆଜି ଟିକା ନେବା ପାଇଁ ସାରା ଦେଶର ବ୍ୟଗ୍ରତା ସାମ୍ନାକୁ ଆସିିଥିଲା । ଆଜି ଅପରାହ୍ଣ ୪ଟାରେ ୧୮ରୁ ଅଧିକ ବର୍ଷର ଯୁବଗୋଷ୍ଠୀ ଟିକା ନେବା ପାଇଁ ଆରମ୍ଭ ହୋଇଥିଲା ରେଜିଷ୍ଟ୍ରେସନ ପ୍ରକ୍ରିୟା । କୋ ୱିନ୍ ଆପ୍କୁ ଯାଇ ରେଜିଷ୍ଟ୍ରେସନ କରିବା ପାଇଁ ଦେଖାଦେଇଥିଲା ଅସମ୍ଭବ ଆଗ୍ରହ । ପରିସ୍ଥିତି ଏପରି ହୋଇଥିଲା ଯେ ଏହି ୱେବସାଇଟ୍ କ୍ରାସ୍ କରିଯାଇଥିଲା । ପ୍ରତି ମିନିଟରେ ୨୭ ଲକ୍ଷରୁ ଅଧିକ ଲୋକ ପଂଜିକରଣ କରିବା ପାଇଁ ଚେଷ୍ଟା କରୁଥିଲେ ।

ତେବେ ବହୁସଂଖ୍ୟକ ଲୋକ ସୋସିଆଲ୍ ମିଡିଆରେ ଜଣାଇଲେ ଯେ ଏହି ସାଇଟ୍ କାମ କରୁନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଆରୋଗ୍ୟ ସେତୁ ପକ୍ଷରୁ ସ୍ପଷ୍ଟ କରାଗଲା ଯେ ପୋର୍ଟାଲ କାମ କରୁଛି ଓ ଟିକା ନେବା ପାଇଁ ପଂଜିକରଣ କରିପାରିବେ । ଏହାପରେ ପୋର୍ଟାଲ କାମ କଲା ଓ ପଂଜିକରଣ ଜାରି ରହିଛି । କିନ୍ତୁ ସିଡ୍ୟୁଲ୍ ଆସୁନାହିଁ । ଅର୍ଥାତ ଆପଣ ଟିକା କେତେବେଳେ ଓ କେଉଁଠି ନେବେ ସେ ସୂଚନା ଦିଆଯାଉନାହିଁ । ପରେ ଆରୋଗ୍ୟ ସେତୁ ପକ୍ଷରୁ କୁହାଗଲା ଯେ ରାଜ୍ୟ ସରକାର ଓ ଘରୋଇ ହସପିଟାଲଗୁଡିକ ସିଡ୍ୟୁଲ କରିନାହାଁନ୍ତି । ପ୍ରକୃତରେ ମୂଳ ସମସ୍ୟା ହେଉଛି କାହା ପାଖରେ ଟିକା ନାହିଁ । ରାଜ୍ୟଗୁଡିକ କୋଟି କୋଟି ଟିକାର ଅର୍ଡର ଦେଇଛନ୍ତି କିନ୍ତୁ ଟିକା ମିଳିପାରୁନାହିଁ । ତେଣୁ ଆପଣ ରେଜିଷ୍ଟ୍ରେସନ କରିଥିଲେ ବି ଟିକା କେବେ ନେବେ, ଟିକା ମିଳିବା ପରେ ଯାଇ ସ୍ପଷ୍ଟ ହେବ ।