କେ. କବିତାଙ୍କ ମହିଳା ସଂରକ୍ଷଣ ବିଲ୍ ପାରିତ ଦାବିକୁ ସମର୍ଥନ କଲେ ୧୮ ବିରୋଧୀ ଦଳ । ହେଲେ ଏପର୍ଯ୍ୟନ୍ତ ବିଜୁ ଜନତା ଦଳ ଦେଇନାହିଁ ସମର୍ଥନ ।

ପାର୍ଲାମେଣ୍ଟରେ ବାରମ୍ବାର ପ୍ରସଙ୍ଗ ଉଠାଉଥିବା ବିଜେଡି, କାହିଁକି ରହିଲା ନିରବ?

217

କନକ ବ୍ୟୁରୋ: କବିତାଙ୍କ ସାଙ୍ଗରେ ନାହିଁ ବିଜେଡି । ମହିଳା ସଂରକ୍ଷଣ ସପକ୍ଷରେ ସବୁବେଳେ କହି ଆସୁଥିବା ବିଜେଡି ବିଆରଏସ୍ ନେତ୍ରୀ କେ.କବିତାଙ୍କ ଆନ୍ଦୋଳନରୁ ଦୂରେଇ ରହିବା ଚର୍ଚ୍ଚା ସୃଷ୍ଟି କରିଛି । ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ସଂସଦରେ ପାରିତ କରାଇବା ଦାବିରେ ଦିଲ୍ଲୀରେ ଧାରଣ ଦେଇଛନ୍ତି କବିତା । ଅନ୍ୟ ୧୮ଟି ଦଳ ଏଥିରେ ସାମିଲ ହୋଇଥିବା ବେଳେ ବିଜେଡି ଦୂରେଇ ରହିଛି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ୍ ମୁଖ୍ୟ କେସିଆରଙ୍କ ଝିଅ କେ. କବିତା ଦିଲ୍ଲୀରେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ଧାରଣା ଜାରି ରଖିଛନ୍ତି । ବହୁଦିନ ଧରି ପଡ଼ି ରହିଥିବା ମହିଳା ସଂରକ୍ଷଣ ବିଲକୁ ସଂସଦରେ ତୁରନ୍ତ ପାସ୍ କରାଇବାକୁ ସେ ଦାବି କରିଛନ୍ତି । ଲୋକସଭା ଓ ସବୁ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ରିଜର୍ଭେସନ ପାଇଁ ଏହି ବିଲରେ ପ୍ରସ୍ତାବ ରହିଛି । କବିତାଙ୍କ ଏହି ଆନ୍ଦୋଳନକୁ ବହୁ ବିରୋଧୀ ଦଳ ସମର୍ଥନ କରୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବିଜେଡି ଏଥିରେ ସାମିଲ ହୋଇନାହିଁ ।

ବିଶେଷକରି ୧୮ଟି ଦଳ ବିଆରଏସ୍ ନେତ୍ରୀଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ହେଲେ ଏଥିରେ ବିଜେଡିର କୌଣସି ନେତାଙ୍କୁ ଦେଖିବାକୁ ମିଳି ନାହିଁ । ଏହାକୁ ନେଇ ପ୍ରଶ୍ନ ଉଠିଛି । ହେଲେ କାହିଁକି ବିଜେଡି ଏହି ଆଭିମୁଖ୍ୟ ଗ୍ରହଣ କରିଛି,ସେ ନେଇ ଦଳ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ । ତେବେ ସୋମବାର ଠାରୁ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି । ବିଆରଏସ୍ ନେତ୍ରୀ କବିତା ଦାବି କରୁଛନ୍ତି ଯେ, ଏହି ସମୟରେ ମହିଳା ସଂରକ୍ଷଣ ବିଲକୁ ପାସ୍ କରାଯାଉ ।

ମହିଳା ସଂରକ୍ଷଣ ପ୍ରସଙ୍ଗରେ ବିଜେଡି ପୂର୍ବରୁ ଅନେକ ଉଦ୍ୟମ ନିଜ ଆଡୁ ଆରମ୍ଭ କରିଥିଲା । ଏପରିକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ଦଳର ସଭାପତିଙ୍କୁ ଏନେଇ ଚିଠି ଲେଖିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏହି ପ୍ରସଙ୍ଗ ନେଇ ଦାବି ଉଠାଇ ଚିଠି ଲେଖିଥିଲେ ନବୀନ । ବିଜେଡି ସଂସଦୀୟ ଦଳ ବୈଠକରେ ମଧ୍ୟ ମହିଳା ଆରକ୍ଷଣ ନେଇ ଆଲୋଚନା ହୋଇଥିଲା । ସଂସଦରେ ଏହି ପ୍ରସଙ୍ଗ ଉଠାଇବା ପାଇଁ ନବୀନ ଦଳୀୟ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କବିତା ସମାନ ପ୍ରସଙ୍ଗ ଓ ଦାବିକୁ ନେଇ ଆନ୍ଦୋଳନ କରୁଥିବା ବେଳେ ବିଜେଡି କାହିଁକି ଦୂରେଇ ରହୁଛି, ବୁଝାପଡୁନାହିଁ । ହେଲେ ମୋଦୀ ବିରୋଧୀମାନେ ଏକାଠି ହୋଇ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ, ହୁଏତ ସମଦ୍ୱରତ୍ୱର ସନ୍ଦେଶ ଦେବାକୁ ଜାଣଶୁଣି ନିଜକୁ ଦୂରେଇ ରଖିଛି ବିଜେଡି ।

  • ୧୫ ବର୍ଷ ହେଲା ପଡ଼ିରହିଛି ମହିଳା ସଂରକ୍ଷଣ ବିଲ୍
  • ୨୦୦୮ରେ ପ୍ରଥମେ ଆଗତ ହୋଇଥିଲା ବିଲ୍

ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଏହି ବିଲରେ ପ୍ରସ୍ତାବ ରହିଛି । ୨୦୦୮ରେ ପ୍ରଥମେ ରାଜ୍ୟସଭାରେ ଏହି ବିଲକୁ ଆଗତ କରାଯାଇଥିଲା । ପରେ ଏହାକୁ ଷ୍ଟାଣ୍ଡିଂ କମିଟି ପାଖକୁ ପଠାଯାଇଥିଲା ଏବଂ ୨୦୧୦ରେ ଏହା ରାଜ୍ୟ ସଭାରେ ପାରିତ ହୋଇଥିଲା । ଏହାପରେ ପାରିତ ପାଇଁ ଲୋକସଭାକୁ ପଠାଯାଇଥିଲା । ହେଲେ ସେବେଠାରୁ ଏହା ଆଉ ଆଗକୁ ବଢ଼ି ପାରି ନାହିଁ ।