୬୦ ଫୁଟ୍ ଗଭୀର ବୋରୱେଲରେ ୫୦ ଘଣ୍ଟା । ଜାଣନ୍ତୁ ୧୮ ମାସ ଶିଶୁକୁ ମୃତ୍ୟୁର ଗୁମ୍ଫାରୁ କେମିତି କରାଗଲା ଉଦ୍ଧାର । 

366

ଦୀର୍ଘ ୫୦ ଘଣ୍ଟା ପରେ ଶେଷରେ ହରିଆଣାର ହିସାର ଜିଲ୍ଲାର ଏକ ବୋରୱେଲରେ ଖସି ପଡ଼ିଥିବା ୧୮ ମାସର ଶିଶୁକୁ ଶୁକ୍ରବାର ସଂଧ୍ୟାରେ ବାହାର କରାଯାଇଛି । ଶିଶୁଟିକୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଛି । ଶିଶୁଟିର ଅବସ୍ଥା ଭଲ ଥିବା ସୂଚନା ରହିଛି । ହରିଆଣାର ହିସାର ଜିଲ୍ଲା ସ୍ଥିତ ବଲସମନ୍ଦ ଗ୍ରାମର ନଦିମ ଖାନ ବୁଧବାର ସଂଧ୍ୟାରେ ଖେଳୁଥିବା ବେଳେ ବୋରୱେଲ୍ ଭିତରକୁ ଖସି ପଡ଼ିଥିଲା । ଶିଶୁଟି ବୋରୱେଲରେ ଖସି ପଡ଼ିବା ପରେ ପାଖରେ ଥିବା ଲୋକ ଚିତ୍କାର କରିବାରୁ ଲୋକେ ରୁଣ୍ଡ ହୋଇ ଯାଇଥିଲେ ।

ଖବର ପାଇ ଉଦ୍ଧାରକାରୀ ଦଳ ଆସି ବୋରୱେଲ୍ ଭିରତକୁ ଅମ୍ଳଜାନ ଥଳି ପକାଇଥିଲେ। ଫଳରେ ଶିଶୁଟିକୁ ନିଶ୍ୱାସ ନେବାରେ କୌଣସି ସମସ୍ୟା ହୋଇନଥିଲା । ଶିଶୁଟିକୁ ବୋରୱେଲ୍ ଭିତରେ ବଞ୍ଚାଇ ରଖିବା ପାଇଁ ବିସ୍କୁଟ ଏବଂ ଫଳ ବି ପଠାଯାଇଥିଲା । ବୋରୱେଲ୍ ଭିତରକୁ ସିସିଟିଭି କ୍ୟାମେରା ପଠାଯାଇ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାକୁ ପର୍ଯ୍ୟବେକ୍ଷଣ କରାଯାଇଥିଲା ମଧ୍ୟ । ଶିଶୁଟିକୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନା, ଏନଆରଡିଏଫ୍ କର୍ମଚାରୀ ଓ ସ୍ଥାନୀୟ ସରକାରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଉଦ୍ଧାରକାରୀ ବୋରୱେଲର ମୁହଁକୁ ବଡ଼ କରି ଶିଶୁଟିକୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଚଳାଇଥିଲେ ବୋଲି ସୂଚନା ମିଳିଥିଲା ।