କନକ ବ୍ୟୁରୋ: ସମସ୍ତଙ୍କୁ ସ୍ତବ୍ଧ କରିଦେଲା ମହାରାଷ୍ଟ୍ର ଦୁର୍ଘଟଣା । ମହାରାଷ୍ଟ୍ର ଔରଙ୍ଗାବାଦରେ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ମାଲବାହି ଟ୍ରେନ୍ ମାଡିଯାଇ ୧୬ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଗୁରୁତର ହୋଇଛନ୍ତି । ଔରଙ୍ଗାବାଦ ନାନ୍ଦେଡ ଡିଭିଜନର ବଦନାପୁର ଓ କର୍ମାଡ ଷ୍ଟେସନ ମଝିରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସକାଳ ପ୍ରାୟ ୫ଟା ୩୦ରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ ଏମାନେ ସମସ୍ତେ ମଧ୍ୟପ୍ରଦେଶର ଓ ଜଲନାରେ ଥିବା ଏକ ଷ୍ଟିଲ କାରଖାନାରେ କାମ କରୁଥିଲେ । ଗୁରୁବାର ଔରଙ୍ଗାବାଦରୁ ଘରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଛାଡି ଥିଲା । ଏହି ଟ୍ରେନରେ ଗାଁକୁ ଫେରିବା ପାଇଁ ସେମାନେ ଜଲନାରୁ ଗତକାଲି ବାହାରିଥିଲେ । ହେଲେ, ଜାତୀୟ ରାଜପଥରେ ଗଲେ ପୋଲିସ ଅଟକାଇବାର ଭୟ ଥିବାରୁ ଟ୍ରେନ୍ ଲାଇନରେ ସେମାନେ ଚାଲିଥିଲେ । ରାତିରେ କିଛି ସମୟ ବିଶ୍ରାମ ନେବା ପାଇଁ ଟ୍ରେନ୍ ଟ୍ରାକରେ ଶୋଇଯାଇଥିଲେ । ହେଲେ ରାତି ପାହିବା ପୂର୍ବରୁ ସେମାନଙ୍କ ଉପରେ ମାଡି ଯାଇଥିଲା ଟ୍ରେନ୍ । ନାନ୍ଦେଡ ରୁ ମନମଦକୁ ପେଟ୍ରୋଲ ଓ ଡିଜେଲ ନେଇ ଟ୍ରେନଟି ଯାଉଥିଲା ।
Extremely anguished by the loss of lives due to the rail accident in Aurangabad, Maharashtra. Have spoken to Railway Minister Shri Piyush Goyal and he is closely monitoring the situation. All possible assistance required is being provided.
— Narendra Modi (@narendramodi) May 8, 2020
ଔରଙ୍ଗାବାଦ ଟ୍ରେନ୍ ଦୁର୍ଘଟଣାକୁ ନେଇ ଦୁଃଖବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମସ୍ତ ପ୍ରକାର ସହାୟତା ପାଇଁ ପଦକ୍ଷେପ ନିଆଯାଉଛି । ରେଳମନ୍ତ୍ରୀଙ୍କ ସହ ଦୁର୍ଘଟଣା ସମ୍ପର୍କରେ କଥା ହୋଇଛି । ଘଟଣା ଉପରେ ରେଳମନ୍ତ୍ରୀ ନଜର ରଖିଛନ୍ତି ବୋଲି କହିଛନ୍ତି ମୋଦି ।