କନକ ବ୍ୟୁରୋ : ମହାକାଶରେ ଭାରତ ପାଇଛି ଅନେକ ସଫଳତା । ଖୁବ କମ ବଜେଟରେ ଇସ୍ରୋ ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଭାରତର ମଙ୍ଗଳାୟନ ଓ ଚନ୍ଦ୍ରାୟନର ସଫଳତାକୁ ସାରା ବିଶ୍ବ ସଲାମ କରିଛି । ଏବେ ଆମ ବୈଜ୍ଞାନିକ ସୂର୍ୟ୍ୟ ପର୍ୟ୍ୟନ୍ତ ପହଞ୍ଚିବା ପାଇଁ ଆଦିତ୍ୟ ପ୍ରକଳ୍ପ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଆଉ ଏହି ସମୟରେ କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ମହାକାଶ ପାଇଁ ବଜେଟର ବ୍ୟବସ୍ଥା କରିଛନ୍ତି । ମହାକାଶ ବିଜ୍ଞାନର ବିକାଶ ପାଇଁ ୧ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି। ଏହା ଉଦ୍ୟୋଗ ପୁଞ୍ଜି ପାଣ୍ଠି । ଏହା ମାଧ୍ୟମରେ ମହାକାଶ ସମ୍ୱନ୍ଧିତ ଉଦ୍ୟୋଗରେ ନିବେଶ କରାଯାଇପାପିବ । ଏହି ଅର୍ଥରାଶି ଗବେଷକ ତଥା ଷ୍ଟାର୍ଟ ଅପ୍ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଛନ୍ତି ବୈଜ୍ଞାନିକ ।
ଭାରତର ମହାକାଶ କ୍ଷେତ୍ର ଦୃତ ଗତିରେ ବିକଶିତ ହେଉଛି । ଭାରତ ଅନେକ ମିଶନକୁ ସଫଳତା ସହ ଶେଷ କରିଥିବାରୁ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି କରିଛି । ଏବେ ବେସରକାରୀ ଅନୁଷ୍ଠାନ ଏଥିରେ ଟଙ୍କା ନିବେଶ କରିବା ଆରମ୍ଭ କରିଦେଲେଣି । ଇସ୍ରୋ ପିଏସଏଲଭି ଓ ଜିଏସଏଲଭି ଭଳି କମ ଦାମର ଲଞ୍ଚ ଭେକିଲ ମାଧ୍ୟମରେ ଅନେକ ଉପଗ୍ରହକୁ ମହାକାଶକୁ ପଠାଇଛି । ୨୦୩୫ ମଧ୍ୟରେ ମହାକାଶରେ ଏକ ସ୍ପେଶ ଷ୍ଟେସନ ତିଆରି କରିବାକୁ ଯୋଜନା ରଖିଛି ଭାରତ । ଏହାସହ ଅନ୍ୟ ଦେଶର ସାଟେଲାଇଟକୁ ମହାକାଶରେ ପଠାଇ ଅଧିକ ଲାଭ ପାଇବାର ଆଶା ରଖିଛି ଭାରତ । ୧ ହଜାର ଟଙ୍କାର ବଜେଟ ଆଖି ଦୃଶିଆ ହୋଇନଥିଲେ ମଧ୍ୟ ମାହାକାଶ ବିଜ୍ଞାନ ସହ ଜଡିତ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଯୋଗାଇବ ବୋଲି ଆଶା ରଖିଛନ୍ତି ବୈଜ୍ଞାନିକ।
ଆସନ୍ତା ୧୦ ବର୍ଷରେ ମହାକାଶ ଅର୍ଥନୀତି ୫ ଗୁଣା ହେବ ବୋଲି ବଜେଟ ଉପସ୍ଥାପନ ବେଳେ କହିଛନ୍ତି ସୀତାରମଣ । ଏହି ଘୋଷଣା ମହାକାଶ ବିଜ୍ଞାନୀଙ୍କୁ ବେଶ ଖୁସି ଦେଇଛି ।