କନକ ବ୍ୟୁରୋ :ଆସାମରେ ହାତୀ ମୃତ୍ୟୁ । ରାଜ୍ୟ ନାଓଗାଁ ସଂରକ୍ଷିତ ଜଙ୍ଗଲରେ ୧୮ ହାତୀ ପ୍ରାଣ ହରାଇଛନ୍ତି । ବଜ୍ରପାତ ଯୋଗୁଁ ଏହି ହାତୀ ମରିଥିବା କୁହାଯାଉଛି । ତେବେ ଏହି ଜଙ୍ଗଲରେ କେତେ ହାତୀ ମରିଛନ୍ତି ସେ ନେଇ ସର୍ଚ ଅପରେସନ ଜାରି ରହିଛି । ସ୍ଥାନୀୟ ଜଙ୍ଗଲ କର୍ତୃପକ୍ଷଙ୍କ କହିବା ଅନୁସାରେ, ସଂପୃକ୍ତ ଅଂଚଳ ଅତି ଘଂଚ ହୋଇଥିବାରୁ ସର୍ଚ ଅପରେସନରେ ସମସ୍ୟା ଦେଖାଦେଇଛି । ୧୪ଟି ହାତୀ ପାହାଡ ଉପରେ ମରପଡିଥିବାବେଳେ ଆଉ ୪ଟି ହାତୀ ପାହାଡ ତଳେ ମରିପଡିବା ଦେଖାଦେଇଥିଲା ।
ଆସାମ ବନ୍ୟପ୍ରାଣୀର ମୁଖ୍ୟ ବନ ସଂରକ୍ଷକ ଅମିତ ସହାୟ କହିଛନ୍ତି ଯେ, କାଠିଆତୋଳି ରେଞ୍ଜ୍ ଅନ୍ତର୍ଗତ ପ୍ରସ୍ତାବିତ କୁଣ୍ଡଳି ସଂରକ୍ଷିତ ବନ ନିକଟ ପାହାଡ଼ିଆ ଅଞ୍ଚଳରେ ବୁଧବାର ଦିନ ଉକ୍ତ ଅଘଟଣ ଘଟିଛି । ଦୁଇଟ୍ ପୃଥକ୍ ସ୍ଥାନରେ ୧୮ଟି ହାତୀଙ୍କର ଶବ ପଡ଼ିଥିବା ସ୍ଥାନୀୟ ଗ୍ରାମବାସୀ ଦେଖି ଆମକୁ ଜଣାଇଥିଲେ । ୧୪ଟି ହାତୀ ପର୍ବତ ଉପରେ ମରିଥିବା ବେଳେ ୪ଟି ହାତୀ ପର୍ବତ ପାଦଦେଶରେ ମରିଥିବା ଜଣାପଡ଼ିଛି ।
ଘଟଣାସ୍ଥଳକୁ ଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ଡକ୍ଟର୍ ହିମନ୍ତ ବିଶ୍ବଶର୍ମା ଆସାମ ପରିବେଶ ଓ ବନ ମନ୍ତ୍ରୀ ପରିମଳ ଶୁକ୍ଳବୈଦ୍ୟଙ୍କୁ ନିର୍ଦେଶ ଦେଇଛନ୍ତି । ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସହ ସେ ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ସମୀକ୍ଷା କରିବେ ବୋଲି କହିଛନ୍ତି । ସୁଦୂର ବନାଞ୍ଚଳରେ ଘଟିଥିବା ଉକ୍ତ ସ୍ଥାନରେ ବନ ବିଭାଗର କର୍ମଚାରୀ ଓ ପ୍ରାଣୀ ଚିକିତ୍ସକମାନେ ପହଞ୍ଚିବା ବେଳେକୁ ଗୁରୁବାର ଅପରାହ୍ଣ ହୋଇଯାଇଥିଲା ।